Odia News Portal

ଏଣିକି ଲୋକଙ୍କ ଘରେ ପହଞ୍ଚାଯିବ ଜରୁରୀ ସାମଗ୍ରୀ

ଲକ ଡାଉନ ସମୟରେ ଲୋକଙ୍କ ନିକଟରେ ଜରୁରୀ ଖାଦ୍ୟ ସାମଗ୍ରୀ ପହଂଚାଇବା ପାଇଁ ହାତ ମିଳାଇଛନ୍ତି ଇ କମର୍ସ ସାଇଟ ଫ୍ଲିପକାର୍ଟ ଓ ଉବର କମ୍ପାନୀ । ଏହି ଦୁଇ କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛିକି, ଏପରି ଏକ ଜରୁରୀ ପରିସ୍ଥିତିରେ ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ ଆବଶ୍ୟକୀୟ ଜିନିଷ ଘରେ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛୁ । ସରକାରଙ୍କ କଟକଣା ଗୁଡିକୁ ପାଳନ କରି ହିଁ ଏହି କାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ । ଉବର କମ୍ପାନୀର ଜଣେ ବରିଷ୍ଠ କର୍ମଚାରୀଙ୍କ ଅନୁଯାୟୀ, ଏହା ଏକ ବି ଟୁ ବି ବା ବିଜିନେସ ଟୁ ବିଜିନେସ ଚୁକ୍ତି ।

ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଳୁରୁ ଭଳି ସହରର ଲୋକଙ୍କୁ ହିଁ ଉବର ଓ ଫ୍ଲିପକାର୍ଟ ଏହି ସେବା ଯୋଗାଇବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଖୁବ ଶୀଘ୍ର ଏହି ସୁବିଧା ଦେଶର ଅନ୍ୟାନ ସହରରେ ଯୋଗାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଏହି ଅଧିକାରୀ । ଏଥିପାଇଁ ଚେଷ୍ଟା ମଧ୍ୟ ଖୁବ ଜୋରସୋରରେ ଚାଲିଛି । ଅନ୍ୟ ପକ୍ଷରେ ଉବର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛିକି ଲୋକଙ୍କ ନିକଟରେ ଜିନିଷ ପହଂଚାଇବା ପାଇଁ କୌଣସି ପ୍ରକାର ଅର୍ଥ ଆଦାୟ କରାଯିବ ନାହିଁ । ଡେଲିଭରି ଦ୍ୱାରା ଆୟ ହେଉଥିବା ଅର୍ଥକୁ ସେବା ଯୋଗାଉଥିବା ଡ୍ରାଇଭର ମାନଙ୍କୁ ହିଁ ଦିଆଯିବ ।

ଉବର ଇଣ୍ଡିଆର ସାଉଥ ଏସିଆ ଡ଼ାଇରେକ୍ଟର ଏହା ମଧ୍ୟ କହିଛନ୍ତିକି, ଆମର ଏହି ସେବା ଦେଶରେ କରୋନା ପ୍ରଭାବ କମାଇବାରେ ନିଶ୍ଚିତ ରୂପେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । ଏହା ସହ ଲୋକଙ୍କୁ ନିଜ ନିଜ ଘରେ ରହି ସତର୍କତା ପାଳନ ପାଇଁ ସେ ନିବେଦନ କରିଛନ୍ତି | ଯାହାଦ୍ୱାରା ସହଜରେ ଏହି ମହାମାରୀ ଚେନକୁ ଭଙ୍ଗା ଯାଇ ପାରିବ । ଫଳରେ ସଂକ୍ରମଣ ହାରକୁ କମା ଯାଇପାରିବ ।