Odia News Portal

ଅର୍ଥନୀତିକୁ ଶକ୍ତି ଦେଇଛି କୃଷିକ୍ଷେତ୍ର: ନବୀନ

ଭୁବନେଶ୍ବର: ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’କୁ ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କ ସାଥିରେ ରହିଛି, ସେମାନଙ୍କ ପାଇଁ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ମିଲେଟ ମିଶନ ସାରା ଦେଶରେ ଉଦାହରଣ ସାଜିଥିବା କହିଲେ ନବୀନ ପଟ୍ଟନାୟକ ।

ଏହାସହ କଳାହାଣ୍ଡିର ମତ୍ସ୍ୟ ଚାଷୀ ଦେଶରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛନ୍ତି । ଚାକିରୀ ଛାଡି ଯୁବାବର୍ଗ ଚାଷକୁ ଆପଣାଉଥିବା କହିଲେ ମୁଖ୍ୟମନ୍ତ୍ରୀ । କରୋନା ଆର୍ଥିକ ସ୍ଥିତି ବିଗାଡି ଦେଇଥିବା ବେଳେ ସଞ୍ଜିବନୀ ଭାବେ ଉଭା ହୋଇଛି କୃଷି । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ୨୦ ହଜାର କୋଟି ଋଣ ଯୋଗାଇଛନ୍ତି । ସରକାରୀ ଯୋଜନାର ସୁଯୋଗ ନେବା ସହ ନୂତନ ବୈଷୟିକ କୌଶଳର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । କୃଷି ଓଡିଶା ଚାଷୀଙ୍କର ସମାବେଶ । ଚାଷୀଙ୍କ ଦକ୍ଷତା ବିକାଶ ପାଇଁ ଏହି ସମାବେଶ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଚଳିତ ବର୍ଷର ଥିମ ରହିଛି ସମନ୍ୱିତ ଚାଷ ଓ ଚାଷୀର ବିକାଶ । କୃଷି ଓ ଆନୁଷଙ୍ଗିକ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକିକରଣ ସୂଚନା, ବଜାର ସୁଯୋଗ ସୃଷ୍ଟି ତଥା ଆବଶ୍ୟକ ଋଣର ସହଜ ଉପଲବ୍ଧତା ଆଦି ଉପରେ ଏହି ପ୍ରଦର୍ଶନୀରେ ଗୁରୁତ୍ୱ ଦିଆଯାଇଛି । ଏଥର କୃଷି ଓଡ଼ିଶାରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେଉଛି । ସେ ଭିତରେ କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଆଦି ସଂଖ୍ୟାଧିକ ବିଭାଗ ଭାଗ ନେବାକୁ ଯାଉଛନ୍ତି ।ଏହି ଅବସରରେ ୩୦ ଜିଲ୍ଲାର ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବା । ଏଥର ଏହି କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ‘ଛତୁ’ କୁ ରଖାଯାଇଛି । ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରାଣ ଥିବାରୁ ଏହାକୁ ୨୦୨୧ କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ରଖାଯାଇଛି ।