Odia News Portal

ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆସାମର ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ ଶର୍ମା । ଗତ କିଛିଦିନ ନାଟକରେ ପଡିଲା ପୂର୍ଣ୍ଣଛେଦ । ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଚୟନ କରାଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ ।

ଦିଲ୍ଲୀରେ ହୋଇଥିବା ବୈଠକ ପରଠାରୁ ଅନୁମାନ ଲଗାଯାଉଥିଲା କି ହିମନ୍ତ ବିଶ୍ୱ ଶର୍ମା ହିଁ ଆସାମର କମାଣ ସମ୍ଭାଳିବେ । ସେଥିପାଇଁ ସୋନୋୱାଲଙ୍କୁ ଦିଲ୍ଲୀ ଡକାଯାଇଥିଲା । ଆସାମରେ ଗତ କିଛି ଦିନ ଧରି ନୂତନ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ବିଜେପି ନେତୃତ୍ୱରେ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଏହାର ସମାଧାନ ପାଇଁ ଶନିବାର କେନ୍ଦ୍ରୀୟ ନେତୃତ୍ୱ ବିଦାୟୀ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ପଦବୀ ପାଇଁ ଦୃଢ ଦାବିଦାର ବୋଲି ଆଲୋଚନାରେ କୁହାଯାଇଥିଲା । ବିଜେପି ସଭାପତି ଜେପି ନଡାଙ୍କ ବାସଭବନରେ ଦୀର୍ଘ ସମୟ ଧରି ବସିଥିଲା ବୈଠକ ।

ହିମନ୍ତ ବିଶ୍ଵ ଶର୍ମା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଣଦେଖା ଆରୋପ ଲଗାଇ ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ୨୦୧୬ ବିଧାନସଭା ନିର୍ବାଚନ ଓ ୨୦୧୯ର ଲୋକସଭା ନିର୍ବାଚନରେ ହିମନ୍ତ ବିଶ୍ଵା ଶର୍ମାଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା। ବିଧାନସଭା ନିର୍ବାଚନ ପୂର୍ବରୁ ଯେବେ  ସିଏଏ  ବିରୋଧରେ ରାଜ୍ୟରେ ଜୋରଦାର ପ୍ରଦର୍ଶନ ହେଉଥିଲା ଏବଂ କରୋନା ବଢୁଥିବା ମାମଲା ନେଇ କେନ୍ଦ୍ର ପ୍ରଶ୍ନ ଘେରରେ ଥିଲା, ଠିକ୍ ସେହି ଘଡିସନ୍ଧି ସମୟରେ ହିମନ୍ତ ଦଳ ପାଇଁ ଜୋରଦାର ପ୍ରଚାର କରିଥିଲେ। ନିଜର କଥାକୁ ମତଦାତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ସଫଳ ହୋଇଥିଲେ। ୨୦୧୬ରେ ଆସାମ ବିଧାନସଭା ନିର୍ବାଚନ ଜିତିବା ପରେ ହିମନ୍ତଙ୍କୁ ବିଜେପି ଉତ୍ତର-ପୂର୍ବ ଡେମୋକ୍ରାଟିକ ଆଲାୟନ୍ସର ସଭାପତି କରାଯାଇଥିଲା।

ହିମନ୍ତ ବିଶ୍ଵ ଶର୍ମା ୧୯୬୯ ମସିହା ଫେବୃଆରୀ ୧ରେ ଜନ୍ମ ଗ୍ରହଣ କରିଥିଲେ। ହିମନ୍ତଙ୍କ ପରିବାରରେ ମା ମୃଣାଳିନୀ ଦେବୀ, ପତ୍ନୀ ରିନିକି ଭୁୟାନ ଓ ଦୁଇଟି ପିଲା ଅଛନ୍ତି। ହିମନ୍ତଙ୍କ ପ୍ରାରମ୍ଭିକ ଶିକ୍ଷା ଗୌହ୍ଵାଟୀର କଟନ  କଲେଜ୍‌ରେ ହୋଇଥିଲା। ଏହା ପରେ ହିମନ୍ତ ରାଜନୀତି ବିଜ୍ଞାନରେ ପିଜି କରିଥିଲେ। ଏଠାରୁ ହିଁ ହିମନ୍ତ ଛାତ୍ର ଜୀବନରୁ ରାଜନୈତିକରେ ସକ୍ରିୟ ହୋଇଥିଲେ। ଶର୍ମା ୧୯୯୧-୯୨ରେ କଟନ କଲେଜ୍‌ର ସାଧାରଣ ସଂପାଦକ ହୋଇଥିଲେ। ଏହା ପରେ ସରକାରୀ ଆଇନ କଲେଜ୍ରୁ ଏଲଏଲବି ଏବଂ ଗୌହ୍ଵାଟୀ କଲେଜ୍‌ରୁ ପିଏଚଡିରେ ଡିଗ୍ରୀ କରିଥିଲେ। ଆଇନରେ ଡିଗ୍ରୀ ହାସଲ କରିବା ପରେ ହିମନ୍ତ ୫ ବର୍ଷ ପର୍ଯ୍ୟନ୍ତ ଗୌହ୍ଵାଟୀ ହାଇକୋର୍ଟରେ ଓକିଲାତି କରିଥିଲେ।

ହିମନ୍ତ ବିଶ୍ଵ ଶର୍ମା ୨୦୦୧ ମେରେ ପ୍ରଥମ ଥର ଜାଲୁକବାରୀ ଆସନରୁ ବିଜୟ ହାସଲ କରିଥିଲେ। ଏହା ପରେ ସେ ଆସାମର ଗତ ସରକାରରେ ଅର୍ଥ, କୃଷି ଓ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପରି ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସହ ବିବାଦ ପରେ ୨୦୧୪ ଜୁଲାଇରେ ସେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ।

ହିମନ୍ତ ଆସାମର ଜାଲୁକବାରି ବିଧାନସଭା ଆସନରୁ କ୍ରମାଗତ ପାଞ୍ଚ ଥର ବିଜୟ ହାସଲ କରିବାରେ ସଫଳ ହୋଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ରୋମେନ ଚନ୍ଦ ବୋରଠାକୁରଙ୍କୁ ୧ ଲକ୍ଷ ୧ ହଜାର ୯୧୧ ଭୋଟ୍‌ରେ ପରାସ୍ତ କରି ଜାଲୁକବାରି ଆସନରେ କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛନ୍ତି।