Odia News Portal

ଏମ୍ଏସ୍ଏମ୍ଇ ପାଇଁ ୨୮୯କୋଟିର ପ୍ୟାକେଜ୍

୫ରୁ ୯ ତାରିଖ ପର୍ଯ୍ୟନ୍ତ ଏମ୍ଏସ୍ଏମ୍ଇ ବାଣିଜ୍ୟମେଳା

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଅର୍ଥନୈତିକ ବିକାଶ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମୁଖ ପଦକ୍ଷେପମାନ ଗ୍ରହଣ କରିଛନ୍ତି । କୋଭିଡ଼୍ ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପୁର୍ବ ସ୍ଥିତିକୁ ଆଣିବା ପାଇଁ ରାଜ୍ୟ ସରକାର ୨୮୯କୋଟି ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ।

ଏମ୍ଏସ୍ଏମ୍ଇ ବିଭାଗର ଅଭିବୃଦ୍ଧି ପାଇଁ ଉତ୍ପାଦନ ବ୍ୟତିତ; ବଜାର ପ୍ରବେଶ, ବାଣିଜ୍ୟ ଓ ରପ୍ତାନୀ ହେଉଛି ପ୍ରମୁଖ ଉପାଦନ । ରାଜ୍ୟର ବାଣିଜ୍ୟ ଓ ରପ୍ତାନୀକୁ ଆହୁରି ମଜବୁତ କରିବା ପାଇଁ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ୨୦୧୩ ମସିହାରୁ ପ୍ରତିବର୍ଷ ଆର୍ନ୍ତଜାତୀୟ ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳା ଆୟୋଜିତ ହୋଇଆସୁଛି । ଦେଶର ବହୁ ରାଜ୍ୟ ତଥା ଇରାନ୍ ଓ ବାଂଲାଦେଶ ଭଳି ଦେଶ ଏଥିରେ ଅଂଶଗ୍ରହଣ କରିଥାନ୍ତି । ବିଭିନ୍ନ ବାଣିଜ୍ୟ, ଉତ୍ପାଦ, ଜ୍ଞାନ କୈାଶଳର ପ୍ରଦର୍ଶନ ଏବଂ କ୍ରେତା ବିକ୍ରେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବାଣିଜ୍ୟ ମେଳାର ପରିକଳ୍ପନା କରାଯାଇଛି । ଶିଳ୍ପଦ୍ୟୋଗୀମାନଙ୍କ ପାଇଁ ବିଭିନ୍ନ ଯାନ୍ତ୍ରିକ ଜ୍ଞାନକୈାଶଳର ପ୍ରତ୍ୟକ୍ଷ ପ୍ରଦର୍ଶନ କରି ନିଜର ଉତ୍ପାଦଗୁଡ଼ିକୁ ବଜାର ପ୍ରବେଶ ପାଇଁ ଏହା ଏକ ଉତ୍କୃଷ୍ଟ ସୁଯୋଗ ଏବଂ ବିଭିନ୍ନ ବିଷୟ ଉପରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟାଶାଳାରୁ ଶିଳ୍ପଦ୍ୟୋଗୀମାନେ ଜ୍ଞାନ ଆହରଣ କରିବାର ସୁଯୋଗ ପାଇପାରିବେ ।

ଏମ୍ଏସ୍ଏମ୍ଇ ବାଣିଜ୍ୟମେଳା-୨୦୨୧ ଚଳିତ ବର୍ଷ ଇଡ଼କୋ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍-୩ ଭୁବନେଶ୍ୱରରେ ମାର୍ଚ୍ଚ ୫ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହା ସହିତ ଭୁବନେଶ୍ୱରରେ ପ୍ରତିବର୍ଷ ‘ଉଦ୍ୟୋଗୀ ସପ୍ତାହ’ ମଧ୍ୟ ପାଳନ କରାଯାଇଥାଏ । ୫ ତାରିଖ ସଂନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାଣିଜ୍ୟ ମେଳାର ଶୁଭା ଉଦ୍ଘାଟନ ହେବ । କୋଭିଡ଼୍-୧୯ କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତ୍ୟେକ ଗାଇଡଲାଇନ ପାଳନ କରି ଏବର୍ଷ ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳା ପାଳନ କରାଯାଉଛି । ତେଣୁ କୈାଣସି ବାହାର ଦେଶର ଅଂଶଗ୍ରହଣକାରୀମାନଙ୍କୁ ପ୍ରବେଶ କରାଯାଇନାହିଁ । ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରରୁ ବିଭିିନ୍ନ ପିଏସ୍ୟୁ ଏବଂ ଶିଳ୍ପଦ୍ୟୋଗୀମାନେ କେବଳ ଅଂଶଗ୍ରହଣ କରିବେ ।

ଏହି ବର୍ଷ ନୁଆ ଷ୍ଟାର୍ଟଅପ୍, ମହିଳା ଉଦ୍ୟୋଗୀ ଏବଂ ମିଶନ୍ ଶକ୍ତିକୁ ଅଗ୍ରାଧିକାର ଦିଆଯାଇଛି । ରାଜ୍ୟର ସାମାଜିକ ଅର୍ଥନୈତିକ ବିକାଶରେ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକର ଅବଦାନକୁ ଦୃଷ୍ଟିରେ ରଖି ସେମାନଙ୍କ ସଦସ୍ୟମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏନେଇ ମିଶନ୍ ଶକ୍ତି ଏବଂ ଏମ୍ଏସ୍ଏମ୍ଇ ବିଭାଗ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ସମଗ୍ର ମେଳା ମଧ୍ୟରେ ୬୦ଟି ଲେଖାଁଏ ଷ୍ଟଲ୍ ଥିବା ୫ଟି ହ୍ୟାଙ୍ଗର୍ ନିର୍ମାଣ କରାଯାଇଛି । ସେଥିମଧ୍ୟରୁ ୪ଟି ଷ୍ଟଲ୍ ଷ୍ଟାଟ୍ଅପ୍, ଫୁଡ଼୍ ପ୍ରୋସେସିଙ୍ଗ୍ ୟୁନିଟ୍, ମିଶନ୍ ଶକ୍ତି, ପିଏସ୍ୟୁମାନଙ୍କ ପାଇଁ ଥିବାବେଳେ ଅନ୍ୟଟି ସାଧାରଣ ଉଦେ୍ଦଶ୍ୟରେ ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ପାଇଁ ନିର୍ମାଣ କରାଯାଇଛି । ଯେଉଁଥିରେ ଯନ୍ତ୍ରପାତି ଏବଂ ନୂତନ ଟେକ୍ନୋଲୋଜିର ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମର ବ୍ୟବସ୍ଥା କରାଯାଇଛି ।

ନିମ୍ନରେ ବିସ୍ତୃତ ଭାବରେ ବିଭିନ୍ନ ବିଷୟ ଉପରେ ୫ଟି ସେମିନାର ଆୟୋଜନ କରିବାକୁ ଯୋଜନା ରହିଛି । ଯାହା ପ୍ରତ୍ୟେକ ଦିନ ୧୦.୩୦ରୁ ୧.୦୦ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଯେପରିକି; ଓଡ଼ିଶାର ଆଗ୍ରୋ ଏବଂ ଫୁଡ଼୍ ପ୍ରୋସେସିଙ୍ଗ୍ ୟୁନିଟ୍, ଏମ୍ଏସ୍ଏମ୍ଇ ଏବଂ ଷ୍ଟାଟ୍ଅପ୍ ପାଇଁ ବଜାର ଏବଂ ଆର୍ଥୀକ ଆବଶ୍ୟକତାର ଗୁରୁତ୍ୱ ଉଦ୍ୟୋଗୀତା କ୍ଷେତ୍ରରେ ମହିଳା ଉଦ୍ୟୋଗୀ, କ୍ଲଷ୍ଟର୍ ମାଧ୍ୟମରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ବିକାଶ ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ ।