Odia News Portal

ଆସିଲା ନୂଆ ଗାଇଡଲାଇନ

 ସାରା ବିଶ୍ୱକୁ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତାରେ ପକାଇଛି । ଏନେଇ ଭାରତ ସରକାର ଅର୍ନ୍ତରାଷ୍ଟ୍ରୀୟ ବିମାନଯାତ୍ରୀଙ୍କ ପାଇଁ ନୂଆ ଦିଶା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏବେ ଯାତ୍ରୀମାନଙ୍କୁ ଏୟାର ସୁବିଧା ପୋର୍ଟାଲରେ ସମସ୍ତ ସୂଚନା ଦେବାକୁ ପଡିବ । ନୂଆ ନିର୍ଦ୍ଦେଶାବଳୀ ମୁତାବକ ବିପଦ ଥିବା ଦେଶରୁ ଭାରତ ଆସୁଥିବା ଯାତ୍ରୀମାନଙ୍କୁ ବୋର୍ଡିଂ ପରେ ସ୍ୱତନ୍ତ୍ର ଏକ ସ୍ଥାନରେ ଅପେକ୍ଷା କରିବା ପାଇଁ ବ୍ୟବସ୍ଥା କରାଯିବ । ଅନ୍ୟପଟେ କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ସମେତ ଅନେକ ରାଜ୍ୟ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବି ଅଲଗା ଅଲଗା ନିୟମ ଜାରି କରିଛନ୍ତି ।

ସମାଚାର ଏଜେନ୍ସି ଏଏନଆଇ ମୁତାବକ କେନ୍ଦ୍ର ଦ୍ୱାରା ନିର୍ଦ୍ଦେଶ ଦିଆଯାଇଥିବା ନିୟମ ମୁତାବକ ବୋର୍ଡିଂ ପୂର୍ବରୁ ଯାତ୍ରୀମାନେ ଏୟାର ସୁବିଧା ପୋର୍ଟାଲ ମାଧ୍ୟମରେ ସମସ୍ତ ସୂଚନା ପ୍ରଦାନ କରିବା ବାଧ୍ୟତାମୂଳକ । ଏହି ପୋର୍ଟାଲରେ ୧୪ ଦିନ ପୂର୍ବରୁ ଭାରତ ଆସିଥିବା ସମସ୍ତ ଯାତ୍ରୀଙ୍କର ବିବରଣୀ ରହିଛି । ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି କି ପ୍ରାୟ ୫ ପ୍ରତିଶତ ବିମାନଯାତ୍ରୀଙ୍କୁ ଯାଂଚ କରିବା ପାଇଁ ଏୟାର ଲାଇନ୍ସ ଉପଯୁକ୍ତ ପ୍ରକ୍ରିୟା ପ୍ରୟୋଗ କରିବା ଉଚିତ ।