Odia News Portal

ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ‘ଟିକାକରଣ ନୀତି’ରେ ଅଦାଲତ ହସ୍ତକ୍ଷେପ ନ କରନ୍ତୁ। ବିଚାର ବ୍ୟବସ୍ଥା ହସ୍ତକ୍ଷେପ କଲେ ପରିଣାମ ଅଭୂତପୂର୍ବ ଏବଂ ଅବାଞ୍ଛନୀୟ ହେବ ବୋଲି ଏହି ସତ୍ୟପାଠରେ ଉଲ୍ଲେଖ ଅଛି।

କେନ୍ଦ୍ର ସରକାର କହିଛନ୍ତି ଯେ, ଦୁଇଟି କମ୍ପାନି ସହ ସରକାର ଆଲୋଚନା କରିବା ପରେ ସମଗ୍ର ଦେଶରେ ଟିକାର ମୂଲ୍ୟ କେବଳ ସୁଲଭ ହୋଇ ନାହିଁ, ସମାନ ମଧ୍ୟ ରହିଛି। ଏହାଛଡ଼ା, କେତେକ ରାଜ୍ୟ ୧୮ରୁ ୪୫ ବର୍ଷ ବୟସ୍କବର୍ଗର ବ୍ୟକ୍ତିଙ୍କୁ ମାଗଣା ଟିକା ଦେବେ ବୋଲି ଘୋଷଣା କରିଛନ୍ତି। ସେହିପରି, ଶ୍ମଶାନକର୍ମୀ ଏବଂ ଗ୍ରାମାଞ୍ଚଳରେ ପଞ୍ଚାୟତକର୍ମୀମାନଙ୍କୁ ମଧ୍ୟ ପ୍ରତ୍ୟକ୍ଷ ସେବାକାରୀ ତାଲିକାଭୁକ୍ତ କରାଯାଇ ଟିକା ନେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି।

ସମ୍ବିଧାନର ଧାରା ୧୪ (ଆଇନ ଆଗରେ ସଭିଏଁ ସମାନ) ଏବଂ ଧାରା ୨୧ (ଜୀବନ ଓ ବ୍ୟକ୍ତି ସ୍ବାଧୀନତାର ସୁରକ୍ଷା) ଅନୁସାରେ ଟିକାର ମୂଲ୍ୟ କଥା ପୁନର୍ବିଚାର କରିବା ପାଇଁ ଗତ ସପ୍ତାହରେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ।