Odia News Portal

ଆଜି ରାଜ୍ୟ ବଜେଟ୍

ଅର୍ଥମନ୍ତ୍ରୀଙ୍କ ବଜେଟ୍‌ ପେଡ଼ି ଉପରେ ରାଜ୍ୟବାସୀଙ୍କ ନଜର

ଭୁବନେଶ୍ବର: ଆଜି ବିଧାନସଭାରେ ଉପସ୍ଥାପନ ହେବ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଉପସ୍ଥାପନ କରାଯିବ।ତେବେ ଏଥର ଆସିପାରେ ୧ ଲକ୍ଷ ୭୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ । ଗତବର୍ଷ ଠାରୁ ଏହା ୧୩ ପ୍ରତିଶତ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ରାଜ୍ୟ ସରକାରଙ୍କ ପ୍ରାଥମିକତାର ଶୀର୍ଷରେ ରହିଛି ସ୍ୱାସ୍ଥ୍ୟ ବିଭାଗ । ବିଭାଗକୁ ପ୍ରାୟ ୧୦ ହଜାର କୋଟି ଟଙ୍କା ମିଳିପାରେ । ରାଜ୍ୟ ବଜେଟରେ ସ୍ବାସ୍ଥ୍ୟ ଭିତ୍ତିଭୂମିରୁ ଆରମ୍ଭ କରି ନିଯୁକ୍ତ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇପାରେ । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବିଭାଗ ପାଇଁ ଅଧିକ ବ୍ୟୟବରାଦ କରିପାରନ୍ତି ରାଜ୍ୟ ସରକାର । ସେହିପରି ପୁରୀ, ଲିଙ୍ଗରାଜ, କୋଣାର୍କ ଏବଂ ସମଲେଶ୍ୱରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ରଖିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ପାଇଁ ପ୍ରାୟ ୫ଶହ କୋଟି, ଲିଙ୍ଗରାଜ ମନ୍ଦିର ପାଇଁ ଶହେ କୋଟି ଏବଂ ସମଲେଶ୍ୱରୀ ମନ୍ଦିର ପାଇଁ ମଧ୍ୟ ଶହେ କୋଟି ଟଙ୍କା ବ୍ୟୟବରାଦ କରିପାରନ୍ତି ସରକାର ।

କରୋନା ପାଇଁ ଓଡ଼ିଶା ଫେରିଥିବା ଲକ୍ଷାଧିକ ପ୍ରବାସୀଙ୍କ ମଧ୍ୟରୁ ବହୁ ଲୋକ ଘରେ ବସିଛନ୍ତି । ସେମାନଙ୍କୁ ରାଜ୍ୟରେ ରୋଜଗାର ଦେବାକୁ ବଜେଟ୍‌ରେ ସରକାର ବ୍ୟବସ୍ଥା କରିପାରନ୍ତି । ଗ୍ରାମୀଣ ପର୍ଯ୍ୟଟନର ବିକାଶ ଏ ଦିଗରେ ସହାୟକ ହେବ । ସେହିପରି ଖଣି କାରବାର ଆରମ୍ଭ ହେଲାଣି । ପ୍ରାଥମିକତା ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ମିଳିଲେ, କେହି ବାହାରକୁ ଯିବେନି । ଶିଳ୍ପାୟନ ପାଇଁ ସିଙ୍ଗିଲ ଓ୍ୱିଣ୍ଡୋ କ୍ଲିୟରାନସ୍ ବ୍ୟବସ୍ଥା ବଜେଟର ଏକ ବଡ଼ଦିଗ ହୋଇପାରେ ।