Odia News Portal

ଆଦିତ୍ୟ ଠାକେରଙ୍କୁ ହତ୍ୟା ଧମକ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକ୍ରେଙ୍କୁ ହତ୍ୟା ଧମକ ଦିଆଯିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି ।
ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ଅବଶ୍ୟ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିସାରିଛି ମୁମ୍ବାଇ ସାଇବର ସେଲ କିନ୍ତୁ ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି କି ନାହିଁ ଏବଂ ଅଭିଯୁକ୍ତକୁ କିଏ ସୁପାରୀ ଦେଇଥିଲା କି, ଏହାର ତଦନ୍ତ ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ତଦନ୍ତକାରୀ ଦଳ ବା ଏସ୍ଆଇଟି ।
ସୂଚନାନୁଯାୟୀ ଜୟସିଂହ ରାଜପୁତ ନାମକ ଜଣେ ବ୍ୟକ୍ତିକୁ ବେଙ୍ଗାଲୁରୁରୁ ଗିରଫ କରିଥିଲା ସାଇବର ସେଲ୍ । ଗିରଫ ଅଭିଯୁକ୍ତ ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବଡ ଫ୍ୟାନ୍ ବୋଲି କହିଛି । କିଛି ଦିନ ପୂର୍ବରୁ ଅଭିଯୁକ୍ତଜଣକ ଆଦିତ୍ୟ ଠାକ୍ରେଙ୍କୁ ଫୋନ କରିଥିଲା । କିନ୍ତୁ ଆଦିତ୍ୟ ଫୋନରେ କଥା ନହେବାରୁ ସେ ଧମକପୂର୍ଣ୍ଣ ମେସେଜ୍ ପଠାଇବା ଆରମ୍ଭ କରିଦେଇଥିଲା । ମେସେଜ୍ରେ ଅଭିଯୁଯୁକ୍ତ ବ୍ୟକ୍ତି ଲେଖିଥିଲା, ‘ତୁ ସୁଶାନ୍ତ ସିଂହ ରାଜପୁତଙ୍କୁ ମାରିଛୁ ପରବର୍ତ୍ତୀ ନମ୍ବର ତୋର ’। ପରେ କିଛି ମେସେଜରେ ଅଶ୍ଳୀଳ ଭାଷାରେ ଲେଖାଥିବା ଜଣାପଡିଛି ।
ଘଟଣାକୁ ନେଇ ବିଜେପି ନେତା ତଥା ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବୀସ ଦୁଃଖ ପ୍ରକାଶ କରିଛନ୍ତି । ଫଡନବୀସ କହିଛନ୍ତି, ମାମଲାର ତଦନ୍ତ କରାଯାଉ ଏବଂ ଦୋଷୀଙ୍କୁ କଡା ଦଣ୍ଡ ଦିଆଯାଉ । ଏନ୍ସିପି ନେତା ନଓ୍ବାବ ମଲ୍ଲିକ ମଧ୍ୟ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ।