Odia News Portal

ଭଡା ପାଇଁ ହତ୍ୟା କଲେ ପ୍ରେମୀଯୁଗଳ

ଦୀର୍ଘଦିନ ଧରି ବକେୟା ଭଡା ଟଙ୍କା ମାଗିବାରୁ ଘର ମାଲିକାଣୀଙ୍କୁ ହତ୍ୟା କଲେ ପ୍ରେମୀଯୁଗଳ | ହରିୟାଣାର କର୍ଣ୍ଣଲରେ ଏଭଳି ଏକ ଅମାନବୀୟ ହତ୍ୟାକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ କର୍ଣ୍ଣଲରେ ପ୍ରେମିକ ହାର୍ଦ୍ଦିକ ଓ ପ୍ରେମିକା ପ୍ରୀତକା କର୍ଣ୍ଣଲର ଆନନ୍ଦ ବିହାରରେ ରହିଆସୁଥିଲେ | ସେମାନେ ଦୀର୍ଘଦିନ ଧରି ଭଡାରେ ରହୁଥିବାବେଳେ କିଛି ଦିନ ତଳେ ବକେୟା ଥିବା ଘର ଭଡା ଦେବାକୁ ମାଲିକାଣୀ ସରସ୍ୱତୀ କୁମାରୀ କହିଥିଲେ | ଯଦି ଘର ଭଡା ନ ଦେବେ ତୁରନ୍ତ ଘର ଛାଡିବାକୁ କହିଥିଲେ | ଘର ଭଡାକୁ ନେଇ ବୃଦ୍ଧ ମହିଳା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ବିବାଦ ଲାଗି ରହିଥିଲା।
ପୋଲିସ କହିଛି ଯେ ଡିସେମ୍ବର ୧୦ ରେ ମହିଳାଙ୍କ ହତ୍ୟା ସମ୍ପର୍କରେ ସୂଚନା ମିଳିଥିଲା। ଏହାର ଅନୁସନ୍ଧାନ ବେଳେ, ଯେତେବେଳେ ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା କେହି ବି ଘରକୁ ଆସିନଥିବାର ଦେଖିବାକୁ ମିଳିଥିଲା | ଏହା ପରେ ଭଡାଟିଆଙ୍କ ଉପରେ ପୋଲିସ ର ସନ୍ଦେହ ବଢିଥିଲା | ଯେତେବେଳେ ଏହି ଭଡାଟିଆ(ପ୍ରେମୀଯୁଗଳ)ଙ୍କୁ ପଚରାଉଚରା କରାଯାଉଥିଲା, ସେମାନେ ସତ ମାନିଯାଇଥିଲେ|
ସେମାନଙ୍କ କହିବା ମୁତାବକ ବାରମ୍ବାର ଭଡା ମାଗିବା ଯୋଗୁଁ ସେମାନେ ମାଲିକାଣୀକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ | ଡିସେମ୍ବର ୧୦ ତାରିଖ ଦିନ ସେମାନେ ମାଲିକାଣୀଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟତ ହେଉଥିବାବେଳେ ସରସ୍ବତୀ କୁମାରୀ ଏହା ଦେଖି ବିରୋଧ କରିଥିଲେ | ଏହା ପରେ ସେମାନେ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ | ପୋଲିସ ଏବେ ସେମାନଙ୍କୁ ଗିରଫ କରିଥିବାବେଳେ ଘଟଣାଦିନ ଦୁହେଁ ମଦ୍ୟପାନ କରିଥିବାର ପୋଲିସ କହିଛି |