Odia News Portal

ତୋର ମୋର ଯୋଡ଼ି ସୁନ୍ଦର…

ବିବାହ ବନ୍ଧନରେ ବାନ୍ଧିହେଲେ ସବ୍ୟସାଚୀ ଓ ଅର୍ଚ୍ଚିତା

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍‌ର ଚର୍ଚ୍ଚିତ ଯୋଡି ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ରାଜସ୍ଥାନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି ।ଦୁହେଁ ଦୁହିଁଙ୍କୁ ସାତଜନ୍ମର ସାଥି ରୂପେ ବାଛି ନେଇଛନ୍ତି | ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ତାଙ୍କ ସୋସିଆଲ ମିଡିଆ ପେଜ୍‌ରେ କିଛି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ସବ୍ୟସାଚୀ ଲେଖିଛନ୍ତି, ‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ।’ସେହିଭଳି ଅର୍ଚ୍ଚିତା ମଧ୍ୟ ଲେଖିଛନ୍ତି, ‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ।’

ଅର୍ଚ୍ଚିତା ସେୟାର କରିଥିବା ଫଟୋରେ ଅଭିନେତା ସବ୍ୟସାଚୀଙ୍କୁ ବର ବେଶରେ ଏବଂ ଅଭିନେତା ସବ୍ୟସାଚୀ ସେୟାର କରିଥିବା ଫଟୋରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବଧୂ ବେଶରେ ଦେଖିବାକୁ ମିଳିଛି । ପୂର୍ବରୁ ଉଭୟଙ୍କର ହଳଦୀ ସେରିମନିର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ନଜରକୁ ଆସିଥିଲା ।

ଅନେକ ଦିନ ଧରି ଏହି ଯୋଡ଼ିଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋରଦାର ହେଉଥିଲା । ଦୁହିଁଙ୍କ ଭିତରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ବିବାହ ବନ୍ଧନରେ ଉଭୟ ଆବଦ୍ଧ ହୋଇଛନ୍ତି ଏହି ସୁନ୍ଦର ଯୋଡ଼ି । ବିବାହ ପରେ ଉଭୟଙ୍କୁ ଯୋଡ଼ିକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମଧ୍ୟ ମିଳୁଛି ।

ସବ୍ୟସାଚୀ- ଅର୍ଚ୍ଚିତା ପ୍ରଥମେ ଏକାଠି ପରଦାରେ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ଦୁହେଁ ନାୟକ-ନାୟିକା ଭାବେ ‘ତୋର ମୋର ଯୋଡ଼ି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ମୁଁ ଏକା ତୁମର’, ‘ହେଲା ମତେ ପ୍ରେମ ଜର’, ‘ପିଲାଟା ବିଗିଡ଼ି ଗଲା’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’ ,‘ପାଗଳ କରିଛି ପାଉଁଜି ତୋର’ ଓ ‘ଛାତି ତଳେ ଡିଙ୍ଗଡଙ୍ଗ୍’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଦୁହିଁଙ୍କୁ ଶେଷଥର ଲାଗି ଓଡ଼ିଆ ଛବି ‘ଅଭିମାନ’ରେ ଦେଖିବାକୁ ମିଳିଛି।