Odia News Portal

ଅର୍ଚ୍ଚିତାଙ୍କ ସପନର ସୌଦାଗର

ଭୁବନେଶ୍ବର: ଆଜି ଅର୍ଚ୍ଚିତାଙ୍କୁ ମିଳିବ ତାଙ୍କ ସପନର ସୌଦାଗର । ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ହାତ ଧରିବେ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ । ବିବାହ ବନ୍ଧରେ ବାନ୍ଧିହେବେ ଦୁଇ ଫେମସ୍ ଲଭ୍ ଯୋଡ଼ି । ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ତଥା ସୁପର୍‌ଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ନାୟିକା ଅର୍ଚ୍ଚିତା ସାହୁଙ୍କର ଆଜି ବାହାଘର ହେବ । ଏ ନେଇ ଦୁହେଁ ନିଜ ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଜଣାଇଛନ୍ତି। ରାଜସ୍ଥାନରେ ଏକ ବିଳାସପୂର୍ଣ୍ଣ ହୋଟେଲ୍‌ରେ ଅଳ୍ପ କିଛି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଅନେକ ଦିନ ଧରି ସବ୍ୟ-ଅର୍ଚ୍ଚିତାଙ୍କ ଯୋଡ଼ି ବିଷୟରେ ଅନେକ କଥା ଶୁଣିବାକୁ ମିଳୁଥିଲା । ଦୁହିଁଙ୍କ ଭିତରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ଖୁବ୍‌ଶୀଘ୍ର ବାହାଘର ମଧ୍ୟ ହେଉଛି ବୋଲି ଶୁଣିବାକୁ ମିଳିଥିଲା । ରବିବାର ଏ ନେଇ ଉଭୟ ସୂଚନା ଦେବା ପରେ ଦୁହିଁଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଅର୍ଚ୍ଚିତା ନିଜ ଫେସ୍‌ବୁକ୍‌ ପେଜ୍‌ରେ ଲେଖିଛନ୍ତି ଯେ, ସୁଖ ଆଉ ଦୁଃଖର ନାମ ଜୀବନ । ଅନେକ ଥର ଲାଗେ ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ । ବୋଧେ ସେଥିପାଇଁ ମତେ ଏମିତି ଏକ ଜୀବନସାଥୀ ମିଳିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ସୋମବାର ଆମର ବାହାଘର । ଆମ ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ । ସେହିପରି ଅନୁରୂପ ଭାବେ ସବ୍ୟସାଚୀ ମଧ୍ୟ ତାଙ୍କର ପ୍ରଶଂସକ ମାନଙ୍କୁ ତାଙ୍କର ସୁଖୀ ଜୀବନ ପାଇଁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ।

ସବ୍ୟସାଚୀ- ଅର୍ଚ୍ଚିତା ପ୍ରଥମେ ଏକାଠି ପରଦାରେ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ଦୁହେଁ ନାୟକ-ନାୟିକା ଭାବେ ‘ତୋର ମୋର ଯୋଡ଼ି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ମୁଁ ଏକା ତୁମର’, ‘ହେଲା ମତେ ପ୍ରେମ ଜର’, ‘ପିଲାଟା ବିଗିଡ଼ି ଗଲା’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’ ,‘ପାଗଳ କରିଛି ପାଉଁଜି ତୋର’ ଓ ‘ଛାତି ତଳେ ଡିଙ୍ଗଡଙ୍ଗ୍’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଦୁହିଁଙ୍କୁ ଶେଷଥର ଲାଗି ଓଡ଼ିଆ ଛବି ‘ଅଭିମାନ’ରେ ଦେଖିବାକୁ ମିଳିଛି।