Odia News Portal

ରିୟଲ ଘଟଣାର ରିଲ୍‌ କାହାଣୀରେ ଦିପିକା ଚିଖଲିଆ

ନୂଆଦିଲ୍ଲୀ : ଅରୁଣ ଗୋଭିଲ୍‌ ଓ ଦିପିକା ଚିଖଲିଆ। ଏହି ଦୁଇଟି ନାଁ ଭାରତୀୟ ସଂସ୍କୃତି ସହ ଯୋଡ଼ି ହୋଇଯାଇଛି , ଯେଉଁଦିନ ଠାରୁ ସେମାନେ ୧୯୮୭ରେ ରାମାନନ୍ଦ ସାଗରଙ୍କ  ‘ରାମାୟଣ’ରେ ରାମ ଓ ସୀତା ପାଲଟିଥିଲେ। ସେଦିନ ଠାରୁ ତାଙ୍କର ନାଁ ପ୍ରଭୁ ରାମଚନ୍ଦ୍ର ଓ ସୀତା ଦେବୀଙ୍କ ସହ ସମୋଚ୍ଚାରିତ ଶଦ୍ଦ ପାଲଟିଯାଇଛି।

ବର୍ତ୍ତମାନ ଦୂରଦର୍ଶନରେ ‘ରାମାୟଣ’ର ପ୍ରସାରଣ ଆରମ୍ଭ ହେବା ପରେ ଅଭିନେତ୍ରୀ ଦିପିକା  ଚିଖଲିଆ ହେଡଲାଇନ୍‌ ସାଜିଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର ଫଟୋ ଏବେ ଭାଇରାଲ। ଦିପିକାଙ୍କୁ ଶେଷଥର ପାଇଁ ଆୟୁଷ୍ମାନ ଖୁରାନା ଅଭିନୀତ ଫିଲ୍ମ ‘ବାଲା’ରେ ଦେଖିବାକୁ ମିଳିଥିଲା। ଆଉ ଏବେ ସେ ଆଉ ଏକ ନାଁରେ ବି ଲୋକପ୍ରିୟ ହେବାକୁ ଯାଉଛନ୍ତି।  ସେ ଫିଲ୍ମରେ ନିର୍ଭୟାଙ୍କ ମାଆ ଆଶାଦେବୀ ଚରିତ୍ରରେ ନଜର ଆସିବେ ।

“ସତରେ ମୁଁ ଯେତେବେଳେ ନିର୍ଭୟା ଘଟଣାକୁ ଭାବେ ମୋ ହୃଦୟ ଥରିଉଠେ। ତାଙ୍କୁ ନ୍ୟାୟ ମିଳିବାକୁ ୭ବର୍ଷ ଲାଗିଗଲା। ଆଉ ଏହି ୭ବର୍ଷରେ ତାଙ୍କ ମା’ ଆଶା ଦେବୀ ଏକ ପାହାଡ଼ ଭଳି ଛିଡ଼ା ହୋଇଥିଲେ ତାଙ୍କ ଝିଅ ପାଇଁ। ଆଉ ଶେଷରେ ନିଜ ଝିଅକୁ ନ୍ୟାୟ ଦେଇ ଦୋଷୀଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଥିଲେ । ଜଣେ ମହିଳା ଓ ମାଆ ଭାବେ ମୁଁ ନିଜେ ଏହା ଅନୁଭବ କରିପାରୁଛି , ଏହି ୭ବର୍ଷ ସେ କେମିତିକା ଦୁଃଖଦ ସ୍ଥିତିରେ ଗତି କରୁଥିବେ “ । ଏକଥା  ଏହି ରାମାୟଣ ଅଭିନେତ୍ରୀ ମିଡ଼ିଆକୁ ସାକ୍ଷାତକାରରେ କହିଛନ୍ତି ।

ରାମାୟଣର ଏହି ସୀତା କହିଛନ୍ତି ,  “ନିର୍ଭୟାଙ୍କ ମାମଲା ଅନେକ ବର୍ଷ ହୋଇଯାଇଛି । ଆଉ ଏହା ଉପରେ ଫିଲ୍ମ ହେଲେ ସାଧାରଣ ଜନତା ବିଶେଷକରି ମହିଳାଙ୍କ ପାଇଁ ସଚେତନତା ବାର୍ତ୍ତା ଦେବ । ଆଜି ଗାଁରେ ସାଧାରଣ ମହିଳାମାନେ ଥାନାରେ ଗୋଟିଏ ଅଭିଯୋଗ କରିବାକୁ ସାହସ କରିପାରୁନାହାଁନ୍ତି । ପଛଘୁଞ୍ଚା ଦିଅନ୍ତି । କିନ୍ତୁ ନିର୍ଭୟା ଓ ତାଙ୍କ ମାଆଙ୍କ କାହାଣୀ ଦେଖିଲେ ସେମାନଙ୍କ ଭିତରେ  ଆତ୍ମବିଶ୍ୱାସ ଜାଗି ଉଠିବ। ସେମାନେ ଅନ୍ୟାୟ ବିରୋଧରେ  ସ୍ୱର ଉଠାଇବାକୁ ଆଗକୁ ଆସିବେ । ”