Odia News Portal

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: କଂସ ମହାରାଜଙ୍କ ରାଜ ଦରବାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବରଗଡ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ଜିଲ୍ଲାରେ ନଡାରୁ ପେଟ୍ରୋଲ ଉତ୍ପାଦନ ପାଇଁ ପ୍ରକଳ୍ପ ବସାଇ ଥିବାରୁ ସାବାସୀ ଦେଇଛନ୍ତି କଂସ ମହାରାଜ ।  ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ମହାରାଜଙ୍କ ରାଜ ଦରବାରରେ ଯୋଗ ଦେବା ଅବସରରେ କଂସ ମହାରାଜ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଂଶସା କରିଛନ୍ତି ।

ପଶ୍ଚିମ ଓଡିଶାର ଲୋକ ସଂସ୍କୃତିର ଅନନ୍ୟ ମହୋତ୍ସବ ଓ ବିଶ୍ୱର ସର୍ବବୃହତ ଖୋଲାମଂଚକୁ ଶ୍ରୀ ପ୍ରଧାନ ହାତୀ ପିଠିରେ ବୁଲି ଦେଖିବା ସହ ମଥୁରାବାସୀଙ୍କୁ ଧନୁଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି ।  ଏହି ଅବସରରେ ସେ କହିଛନ୍ତି ଯେ, ଧାନ ଅମଳ ପରେ ଚାଷୀଙ୍କୁ ଆମୋଦପ୍ରମୋଦରେ ବାନ୍ଧି ରଖିବା ପାଇଁ ଧନୁଯାତ୍ରା ଅନନ୍ୟ ଲୋକ ମହୋତ୍ସବ ପ୍ରକ୍ରିୟା ।

ଧନୁଯାତ୍ରା ବର୍ତମାନ ସୃଜନଶୀଳତାର ଚରମ ଉକ୍ରର୍ଷରେ ପହଂଚିଛି । ଧନୁଯାତ୍ରାକୁୁ ଆହୁରି ପ୍ରଚାର ପ୍ରସାର ମାଧ୍ୟମରେ ପ୍ରସିଦ୍ଧି କରାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ । ଏହାଦ୍ୱାରା ଅର୍ଥନୀତି ସମୃଦ୍ଧ ହୋଇପାରିବ । ବରଗଡ କେବଳ ଧନୁଯାତ୍ରା ନୁହେଁ, ଏ ଅଂଚଳର ବୁଣାକାରଙ୍କୁ ଉଚ୍ଚକୋଟୀର ଶିଳ୍ପ, କୃଷି ଆଧାରିତ ଅର୍ଥନୀତି, ଲୋକଙ୍କର ଲୋକ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ସହାୟକ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନଡାରୁ ପେଟ୍ରୋଲ ଉତ୍ପାଦନର ବିକଳ୍ପ ବ୍ୟବସ୍ଥା ବରଗଡରେ କରାଯାଉଛିା ବରଗଡର ଏହି କାରଖାନା ଜିଲ୍ଲାର କୃଷି ଅର୍ଥନୀତିକୁ ଆହୁରି ସମୃଦ୍ଧ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବରଗଡରେ ଗୋଟିଏ କ୍ୟାନସର ହସ୍ପିଟାଲ ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବୀ । ଏହି ଦାବୀ ପୂରଣ ପାଇଁ ସେ ସବୁ ପ୍ରକାର ଚେଷ୍ଟା କରିବେ । କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେଲେ ସବୁ ଗରୀବ ଲୋକମାନେ ଏଠାରେ ଚିକିତ୍ସିତ ହେବାର ସୁବିଧା ପାଇପାରିବେ ବୋଲି ସେ କହିଛନ୍ତିା