Odia News Portal

ପ୍ରତିଦିନ ମାତ୍ର ୧ ଘଣ୍ଟା ହସନ୍ତୁ, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର : ହସିବାକୁ ଅନେକ ରୋଗର ମହୌଷଧି ବୋଲି କୁହାଯାଏ। ହସିବା ଦ୍ୱାରା ଶରୀରର ମାଂସପେଶୀ, ଚକ୍ଷୁ, ହୃତ୍‌ପିଣ୍ଡ ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ୟୁନିଭରସିଟି ଅଫ୍‌ ମେରିଲାଣ୍ଡ୍‌ଠାରେ .େହାଇଥିବା ଗବେଷଣା ଅନୁସାରେ, ମନଖୋଲି ହସୁଥିବା ଲୋକଙ୍କର ରକ୍ତସଞ୍ଚାଳନ ଅନ୍ୟମାନଙ୍କ ତୁଳନାରେ ଠିକ୍‌ ଢ଼ଙ୍ଗରେ ହୋଇଥାଏ। ୧୦ ମିନିଟ୍‌ ପର୍ଯ୍ୟନ୍ତ କୌଣସି ମଜା କଥାକୁ ମନେପକାଇ ହସିବା ଦ୍ୱାରା ଆପଣଙ୍କୁ ୨ ଘଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣାରୁ ଆରାମ ମିଳିଥାଏ।

ଏହାସହ ଶରୀରର ରୋଗପ୍ରତିରୋଧକ କ୍ଷମତା ବି ବୃଦ୍ଧି ପାଇଥାଏ। ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଯେଉଁ ଲୋକମାନେ ଅଧିକ ହସିଥାନ୍ତି ସେମାନେ ଦୀର୍ଘଦିନ ଯାଏ ବୟସର ଛାପକୁ ଲୁଚାଇ ପାରନ୍ତି। ଫିଜଓଥେରାପିଷ୍ଟ୍‌ଙ୍କ ଅନୁସାରେ, ଯଦି ସକାଳ ସମୟରେ ଏକ ଘଣ୍ଟା ହାସ୍ୟ ଧ୍ୟାନ କରାଯାଏ, ତେବେ ଦିନସାରା ମନ ପ୍ରଫୁଲ୍ଲ ଏବଂ ପ୍ରସନ୍ନ ରହେ। ତା’ସହ ଶରୀରରେ ଫୂର୍ତ୍ତି ଅନୁଭୂତ ହୁଏ। ଏହି ଯୋଗ ଦ୍ୱାରା ଶରୀରରେ କିଛି ହର୍ମୋନ୍‌ ଝରିଥାଏ, ଯାହା ଯୋଗୁ ମଧୁମେହ, ପିଠି ଯନ୍ତ୍ରଣା ଏବଂ ଅବସାଦରୁ ଆରାମ ମିଳେ।

କେବଳ ସେତିକି ନୁହେଁ, କାର୍ଯ୍ୟାଳୟରେ ଦୀର୍ଘ ସମୟ ବସିରହିବା ଦ୍ୱାରା ସ୍ପଣ୍ଡିଲାଇଟ୍ସ ଭଳି ସମସ୍ୟା ସୃଷ୍ଟି ହେଉଛି। ହସିବା ଦ୍ୱାରା ଏହି ସମସ୍ୟା ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ।