Odia News Portal

ବିଧାନସଭାରେ ଘଣ୍ଟ ବଜାଇଲେ ତାରା


ତାରାଙ୍କ ବ୍ରାହ୍ମଣ ବେଶ। ବିଧାନସଭାକୁ ଆଜି ପାଟ ଧୋତି ସାଙ୍ଗକୁ ପାଟ ଗାମୁଛା ପିନ୍ଧି ବ୍ରାହ୍ମଣ ବେଶରେ ଏଣ୍ଟ୍ରି କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବେକରେ ରୁଦ୍ରାକ୍ଷମାଳ ଓ ହାତରେ କମଣ୍ଡଳୁ ଧରି ବିଧାନସଭାରେ ତାରା ଛିଞ୍ଚିଛନ୍ତି ଗଙ୍ଗାଜଳ। ଗଣତନ୍ତ୍ର ମନ୍ଦିର କୁହାଯାଉଥିବା ବିଧାନସଭା କୁଆଡେ ଅପବିତ୍ର ହୋଇଯାଇଛି । ସେଥିପାଇଁ ଗଙ୍ଗାଜଳ, ତୁଳସୀ ପତ୍ର ଓ ଗୋମୁତ୍ର ପକାଇ ବିଧାନସଭାକୁ ପବିତ୍ର କରିଛନ୍ତି ତାରା।ଆଜି ଗୃହ ଆରମ୍ଭରୁ ହିଁ ହାତରେ ,”ଗୋ ବ୍ୟାକ ମିନିଷ୍ଟର”ର ପ୍ଲାକାର୍ଡ ଧରି ପୋଡ଼ିୟମ ପାଖରେ ହୋ ହଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କଠାରୁ ନେଇ ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ଉପରକୁ ତାରା ବାହିନୀପତି ସିଞ୍ଚନ କରିଥିଲେ ଗଙ୍ଗାଜଳ । ଏପରିକି ଓଁ ଶାନ୍ତି , ଓଁ ଶାନ୍ତି ମନ୍ତ୍ର ପାଠ ମଧ୍ୟ କରିଥିଲେ । ଦଳରେ ସବୁ ଧର୍ମର ବିଧାୟକ ଥିବାରୁ ସର୍ବଧର୍ମ ପୂଜାପାଠ ହୋଇଥିଲା ବିଧାନସଭା ଗୃହରେ । କଥା ଏତିକିରେ ସରିନଥିଲା । ସରକାରଙ୍କ ଚୈତନ୍ୟକୁ ଉଦୟ କରିବା ପାଇଁ ବିଧାନସଭା ଭିତରେ ଘଣ୍ଟ ବାଡେଇ ବାଡେଇ ହଟଗୋଳ କରିଥିଲେ କଂଗ୍ରେସର ନବରତ୍ନ ବିଧାୟକ । ଯାହାକୁ ଦେଖି ବାଧ୍ୟ ହୋଇ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ।