Odia News Portal

ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ରବିବାର ରାତିରେ ସେ ଭୁବନେଶ୍ୱରରେ ଆସି ପହଞ୍ଚିବେ । ଦୁଇଦିନିଆ ଗସ୍ତରେ ଶ୍ରୀ ଶାହ ଓଡ଼ିଶା ଆସୁଥିବାବେଳେ କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା ଓ ପଦାଧିକାରୀଙ୍କୁ ୨୦୨୪ ପାଇଁ ମନ୍ତ୍ର ଫୁଙ୍କିବେ । ମିଶନ ଓଡ଼ିଶା ପାଇଁ ଦଳୀୟ ନେତାଙ୍କ ସହ ଆଲୋଚନା କରି ରୋଡମ୍ୟାପ୍‌ ତିଆରି କରିବେ । ଶ୍ରୀ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିର ପୂରା ଉତ୍ସାହିତ । ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ କଟକ ନଗର କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି । ଘନଘନ ବୈଠକ ବସି ପ୍ରସ୍ତୁତିର ସମୀକ୍ଷା କରାଯାଉଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଶାହଙ୍କ ଗସ୍ତ କାର୍ଯ୍ୟକ୍ରମସମ୍ପର୍କରେ ସୂଚନା ଦେଇଛନ୍ତି ।

ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ଶ୍ରୀ ଶାହ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ସ୍ୱତନ୍ତ୍ର ବିମାନରେ ବାହାରିବେ । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ରବିବାର ସେ ଭୁବନେଶ୍ୱରରେ ରାତ୍ରିଯାପନ କରିବେ । ସୋମବାର (୮ ତାରିଖ) ସକାଳୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ କଟକ ଅଭିମୁଖେ ଯାତ୍ରା କରିବେ ।

ପ୍ରଥମେ ସେ ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହା ପରେ ଇଣ୍ଡୋର ଷ୍ଟାଡିୟମରେ ଦୈନିକ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । କଟକ ଗସ୍ତ ଅବସରରେ ଶ୍ରୀ ଶାହଙ୍କୁ ଫୁଲନଖରା, ଲିଙ୍କ୍‌ରୋଡ, ନିଶାମଣି ପଣ୍ଡପ, ପାଲା ମଣ୍ଡପ, ବାଦାମବାଡ଼ି, ଦୋଳମୁଣ୍ଡେଇ, ହରିପୁର ଓ ସେମିନାର ଛକ, ଦରଘାବଜାର ଛକରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ସ୍ୱାଗତ ଜଣାଯିବ ।

ସୋମବାର ଅପରାହ୍ଣରେ ଶ୍ରୀ ଶାହ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ଅପରାହ୍ଣ ୫ଟାରେ “”ମୋଦି ଅ ୨୦” ପୁସ୍ତକର ବୁକ୍‌ ରିଡିଂ କାର୍ଯ୍ୟକ୍ରମରେ ଯୋଗ ଦେବେ । ୮ ତାରିଖ ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।

ଶ୍ରୀ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ବେଶ୍‌ ଉତ୍ସାହିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ ଓ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।