Odia News Portal

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ମାଲିଙ୍ଗା

କଲମ୍ବୋ: କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଲସିଥ୍ ମଲିଙ୍ଗା । ଦୀର୍ଘ ୧୭ ବର୍ଷର ଯାତ୍ରାରେ ପଡିଛି ପୂର୍ଣ୍ଣଚ୍ଛେଦ । ପୂର୍ବରୁ ଦିନିକିଆ ଓ ଟେଷ୍ଟରୁ ଅବସର ଘୋଷଣା କରିଥିବା ମଲିଙ୍ଗା ଆଜି ଟି-୨୦ କ୍ରିକେଟକୁ ଅଲବିଦା କହିଛନ୍ତିି । ୧୭ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୫୪୬ ଉଇକେଟ ନେଇଥିଲେ ମାଲିଙ୍ଗା। ବିଶ୍ୱର ପ୍ରଥମ ବୋଲର ଭାବେ ସେ ଟି୨୦ କ୍ରିକେଟରେ ୧୦୦ ୱିକେଟ ନେଇଥିଲେ। କ୍ରିକେଟର ଏହି ଛୋଟିଆ ଫର୍ମାଟରେ ତାଙ୍କ ନାମରେ ରହିଛି ୧୦୭ଟି ୱିକେଟ ।

ଅବସର ନେବା ଅବସରରେ ମାଲିଙ୍ଗା କହିଛନ୍ତି କି,ଆଜି ମୋ ପାଇଁ ସ୍ବତନ୍ତ୍ର ଦିନ। ମୋ’ ଜୋତାକୁ ଶତ ପ୍ରତିଶତ ବିଶ୍ରାମ ଦେବା ପାଇଁ ମୁଁ ନିଷ୍ପତ୍ତି ନେଇଛି। କିନ୍ତୁ କ୍ରିକେଟ ପ୍ରତି ଥିବା ଭଲ ପାଇବାକୁ କଦାପି ବିଶ୍ରାମ ଦେବି ନାହିଁ। ଟି୨୦ କ୍ୟାରିୟରରେ ମୋତେ ସମର୍ଥନ କରିଥିବା ପ୍ରତ୍ୟେକଙ୍କୁ ଧନ୍ୟବାଦ୍। ଏବେ ଯୁବ କ୍ରିକେଟରଙ୍କ ସହ ମୋ ଅଭିଜ୍ଞତା ବାଣ୍ଟିବାକୁ ଚାହୁଁଛି ବୋଲି ମଲିଙ୍ଗା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କୁ ରିଲିଜ କରିବା ପରେ ସେ ଫ୍ରାଞ୍ଚାଇଜ କ୍ରିକେଟରୁ ଦୂରେଇ ଯାଇଥିଲେ।