Odia News Portal

ମା’କୁ ଆକ୍ରମଣ କରି ଝିଅକୁ ଦୁଷ୍କର୍ମ

ପୁଣି ଲଜ୍ଜା । କାମ ସାରି ଫେରିବା ପରେ ମାଆକୁ ମରଣାନ୍ତକ ଆକ୍ରମଣ ପରେ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଛି । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ । ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରିଛି ତେନ୍ତୁଳିଖୁଣ୍ଟି ପୋଲିସ ।
ସୂଚନାଅନୁସାରେ, ମାଆ ଝିଅ ନିଜ ଜମିରେ କାମ ସାରି ଫେରୁଥିଲେ । ଏହି ସମୟରେ ହିର୍ମିମୁଣ୍ଡା ଗ୍ରାମର ତୁଲାରାମ ମାଝୀ ଉଭୟ ମା ଝିଅଙ୍କ ବାଟ ଓଗାଳି ଥିଲେ । ପ୍ରଥମେ ମାଆ ମୁହଁକୁ ଏକ ପଥର ସାହାଯ୍ୟରେ ମାରି ରକ୍ତାକ୍ତ କରି ଦେଇଥିଲେ । ଏହା ପରେ ନାବାଳିକା ଝିଅର ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଗ୍ରାମବାସୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଆକୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଏ ନେଇ ପରିବାର ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା କହିଛନ୍ତି ଥାନା ଅଧିକାରୀ ପ୍ରମୋଦ ନାୟକ । କେସ ନମ୍ବର ୧୧୫/୨୧ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।