Odia News Portal

ମାଲକାନଗିରିରେ ୫ ଜଣ ସାମ୍ବାଦିକଙ୍କୁ ଗିରଫ ଦାବିରେ ପ୍ରତିବାଦ ଜାରି

ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ପ୍ରତିବାଦ । ଜିଲ୍ଲାର ଶତାଧିକ ସାମ୍ବାଦିକ ମାଲକାନଗିରି ଥାନା ସମ୍ମୁଖରେ ବସି ପୋଲିସର ବର୍ବରତାକୁ ବିରୋଧ କରିବା ସହ ସାମ୍ବାଦିକଙ୍କ କାଉଂଟର ଏଫଆଇଆର ରୁଜୁ କରିବା ଲାଗି ଦାବି କରିଛନ୍ତି ସାମ୍ବାଦିକ । ଗତ ଗୁରୁବାର ରାତିରେ ସାମ୍ବାଦିକ ମାନେ କୋରୁକୋଣ୍ଡା ଡାକ୍ତରଖାନାକୁ ଯାଇ ଖବର ପ୍ରସାରଣ କରିଥିଲେ ।

ସ୍ୱାସ୍ଥ କେନ୍ଦ୍ରର ଦୋଷ ତୃଟିକୁ ଲୋକ ଲୋଚନକୁ ଆଣି ଥିଲେ । ଆଉ ଏହାପରେ ଆକ୍ରୋଶମୁଳକ ଭାବେ ଡାକ୍ତରଖାନାର ଡାକ୍ତର ମାନେ ଗଣମାଧ୍ୟମ ପ୍ରତିନିଧିକଙ୍କ ବିରୋଧରେ ମାମଲା ରୁଜୁ କରି ଥିବା ଅଭିଯୋଗ ହୋଇଛି । ଆଉ ଡାକ୍ତରଙ୍କ ଏଫଆଇର ଆଧାରରେ ଜଣେ ଆଇପିଏସ ଅଧିକାରୀଙ୍କ ସମେତ ୪ ଅଧିକାରୀଙ୍କ ନେତୃତ୍ୱରେ ୩୦ ସଶସ୍ତ୍ର ପୋଲିସ କର୍ମଚାରୀ ରାତି ଆଧିଆ ସାମ୍ବାଦିକଙ୍କୁ ଘରୁ ଉଠାଇ ଆଣି ଥିଲେ । ଆଉ ସାମ୍ବାଦିକଙ୍କ ଏତଲା ଗ୍ରହଣ ନ କରି ସିଧାସଳଖ ତାଙ୍କୁ କୋର୍ଟ ଚାଲାଣ କରି ଥିବା ଅଭିଯୋଗ ହୋଇଛି ।

ଏନେଇ ଆଜି ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାଲକାନଗିରି ଜିଲ୍ଲାର ସମସ୍ତ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଡାକ୍ତରମାନଙ୍କର ଦୁର୍ବ୍ୟବହାରକୁ ନିନ୍ଦା କରାଯିବା ସହ ପୁଲିସର ଅତ୍ୟାଧିକ ଟାର୍ଗେଟକୁ ମଧ୍ୟ ନିନ୍ଦା କରାଯାଇଥିଲା । ପୁଲିସ ଜାଣିଶୁଣି ସାମ୍ବାଦିକମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିବା ନେଇ ସଂଘର ବୈଠକରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଗକୁ ପୁଲିସର କୌଣସି କାମରେ ସାମ୍ବାଦିକମାନେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ମିଥ୍ୟା କେଶରେ ୫ ଜଣ ସାମ୍ବାଦିକଙ୍କୁ ଫସାଇ କୋର୍ଟ ଚାଲାଣ କରିବା କେତେଦୁର ଯୁକ୍ତିଯୁକ୍ତ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି ।
ତେବେ ସାମ୍ବାଦିକମାନଙ୍କୁ ସମର୍ଥନ କରି ମା’ଘରର ସଦସ୍ୟାମାନେ, ବାର ଆସୋସିଏସନର କର୍ମକର୍ତ୍ତା ଏବଂ ଆଦିବାସୀ ସଂଘ ମଧ୍ୟ ସମର୍ଥନ କରି ଏହି ଘଟଣାକୁ ନିନ୍ଦା କରିଛନ୍ତି। ଡାକ୍ତରମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ୟ୍ୟନ୍ତ ଧାରଣାରେ ସାମ୍ବାଦିକମାନେ ହଟିବେ ନାହିଁ ବୋଲି ସଫା ସଫା କହିଛନ୍ତି ।