Odia News Portal

ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସରେ କଡାକଡି ହେବ ତମାଖୁସେବନ

ଏଣିକି ଶିକ୍ଷାନୁଷ୍ଠାନ ଓ ସରକାରୀ ଦପ୍ତର ରେ ତମାଖୁ ବ୍ୟବହାର ଉପରେ ରୋକ୍ ଲଗାଯିବା ସହ ତମାଖୁ ବ୍ୟବହାରକାରୀ ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାପାଇଁ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ମିଟିଂ ରେ ନିଷ୍ପତ୍ତି ହୋଇଛି। ଆଜି ଅପରାହ୍ନ ରେ ଗ୍ରାମ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଂକର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ  ଯୁବଗୋଷ୍ଠୀଙ୍କୁ  ତମାଖୁ ମୁକ୍ତ କରିବା ପାଇଁ ଚଳିତ ବର୍ଷ ଜିଲ୍ଲା ର ୨୭ଟି କଲେଜ ଓ ୧୫ଟି ସ୍କୁଲ ରେ ସ୍ବତନ୍ତ୍ର ସଚେତନତା ଶିବିର ଅନୁଷ୍ଠିତ ହେବା ସହ ଶିକ୍ଷାନୁଷ୍ଠାନ ର ୧୦୦ମିଟର ପରିଧି ଭିତରେ ଥିବା ବ୍ୟବସ୍ୟାୟିକ ପ୍ରତିଷ୍ଠାନ ରେ ତମାଖୁ ବିକ୍ରୀ ସଂପୂର୍ଣ୍ଣ ନିଷେଧ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏଥିସହ ପୁଲିସ ଓ ବିଭିନ୍ନ ବିଭାଗ ପକ୍ଷରୁ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ନିୟମିତ ଭାବେ ମିଳିତ ଚଢ଼ାଉ କରାଯିବାକୁ ସ୍ଥିର ହୋଇଛି। ସେହିପରି କ୍ୟାନସର ଚିହ୍ନଟ ପାଇଁ ବ୍ଲକସ୍ତରୀୟ ଶିବିର,ବାଇଓସ୍ପି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ପୁରୀ ରେ ଅଂକୋଲଜି ବିଭାଗ ଖୋଲିବା ପାଇଁ ସରକାରଙ୍କୁ ପଦକ୍ଷେପ ନେବା ନିମନ୍ତେ ବୈଠକ ନିବେଦନ ରଖାଯାଇଛି।ଡିଏଲସିସି ର ସଂଯୋଜନା ଅଧିକାରୀ ଡକ୍ଟର ସୁଶାନ୍ତ କୁମାର ବିଶ୍ବାଳଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ଡ଼ାକ୍ତର ବିରଜା ରଥ, ଡାକ୍ତର ଯଶସ୍ବୀ ଦାସ, ସମାଜସେବୀ ଶ୍ରୀ ବଦ୍ରି ମିଶ୍ର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଶିକ୍ଷା ଅଧିକାରୀ ମମତା ମିଶ୍ର, ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ମିଶନ ଓଡ଼ିଶା ର ବରିଷ୍ଠ ସଦସ୍ୟ ଶ୍ରୀ ମଧୁସୂଦନ ମିଶ୍ର,ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରତ୍ୟୁଷ ରଂଜନ ତାରେଣିଆ ଓ ଶ୍ରୀ ବେଦଶ୍ରୀ ସାହୁ,ଡ୍ରଗ ଇନ୍ସପେକ୍ଟର ଶ୍ରୀ ଅଂଜନ ସାହୁ, ଡିଏସପି ହେମନ୍ତ ଶ୍ରୀ କୁମାର ପଣ୍ଡା, ଅବକାରୀ ଇନ୍ସପେକ୍ଟର ମାନସୀ ସାହୁ, ଡେପୁଟି କଲେକ୍ଟର ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ, ଡାକ୍ତର ଅର୍ଦ୍ଧେନ୍ଦୁ ଶେଖର ମିଶ୍ର, ଆରତୀ ସାହୁ ଓ ଜାତୀୟ ସେବା ସଂସ୍ଥା ର ଡକ୍ଟର ଜଗବନ୍ଧୁ ମିଶ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।