Odia News Portal

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ବଢ଼ିବ: ଆଜି ବିଜ୍ଞାପନ ଜାରି କରିବେ ରାଜ୍ୟ ସରକାର

୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ତେବେ ଟାଇମଲାଇନ ମଧ୍ୟରେ ବୁକିଂ କରିଥିଲେ ରିହାତି ମିଳିବ ବୋଲି ଗତ ୨୬ ତାରିଖରେ ପରିବହନ ବିଭାଗ ପକ୍ଷରୁ କୁହାଯାଇଥିଲା । ଯେଉଁମାନେ ଅନଲାଇନ୍ ବୁକିଂ କରିବା ସହ ସ୍ଲିପ ପାଖରେ ରଖିଥିବେ ସେମାନେ ଚେକିଂରୁ ରକ୍ଷା ପାଇପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ତେବେ ଏହା ମଧ୍ୟରେ ଏଚଏସଆରପିକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ । ତେବେ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସମୟସୀମା ଆଉ ମାସେ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ସ୍ଲଟ ବୁକିଂ ପାଇଁ ପୋଷ୍ଟ ଅଫିସ, ଜନସେବା କେନ୍ଦ୍ରକୁ ସାମିଲ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୨୬ ତାରିଖରେ କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୧ ଓ ୨ରେ ଶେଷ ହେଉଥିବ ସେଥିରେ ସେପ୍ଟେମ୍ବର ୩୦ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ଯେଉଁ ଗାଡ଼ିର ନମ୍ବର ନମ୍ବର ୩ ଓ ୪ ରେ ଶେଷ ହେଉଥିବ ସେଥିରେ ସେପ୍ଟେମ୍ବର ୩୦ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୫ ଓ ୬ରେ ଶେଷ ହେଉଥିବ ସେଥିରେ ଅକ୍ଟୋବର ୩୧ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୭ ଓ ୮ ମଧ୍ୟରେ ଶେଷ ହେଉଥିବ ସେଥିରେ ନଭେମ୍ବର ୩୦ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୯ ଓ ୦ରେ ଶେଷ ହେଉଥିବ ସେଥିରେ ଡିସେମ୍ବର ୩୧ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।