Odia News Portal

୩ ପିଲାଙ୍କ ସହ ମା’ଙ୍କୁ ଅପହରଣ ଓ ଦୁଷ୍କର୍ମ

ଜଣେ ମହିଳାଙ୍କ ସହ ତାଙ୍କ ୩ ଜଣ ପିଲାଙ୍କୁ ଅପହରଣ କରାଯାଇଥିଲା । ଏହା ପରେ ଅଭିଯୁକ୍ତ ଜଣଙ୍କ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ବୁରୁକୁଦି ଗ୍ରାମର ବିକ୍ରମ ବିଷୋୟୀ(୨୮) ବୋଲି ପୁଲିସ କହିଛି । ଏବଂ ତାଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି ।

ଅଭିଯୁକ୍ତ ବିକ୍ରମଙ୍କୁ ପୁଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । କୋର୍ଟ ନିର୍ଦ୍ଦେଶ ଅନୁସାରେ ଅଭିଯୁକ୍ତ ବିକ୍ରମଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ପୀଡ଼ିତା ମହିଳା ଓ ତାଙ୍କର ତିନି ପିଲାଙ୍କୁ ପୁଲିସ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଢାରୁ ଉଦ୍ଧାର କରିଥିବା କହିଛି । ଆଜି ଉଭୟ ପୀଡ଼ିତା ଓ ଯୁବକଙ୍କ ଏମ୍‌କେସିଜି ମେଡିକାଲରେ ଡାକ୍ତରୀ ମାଇନା କରାଯାଇଥିବା ବେଳେ ପୀଡ଼ିତାଙ୍କ ଧାରା ୧୬୪ ଅନୁସାରେ କୋର୍ଟରେ ବୟାନ ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ମଇ୨୫ ତାରିଖରେ ଜନୈକା ମହିଳାଙ୍କୁ ଜଣେ ଯୁବକ ତାଙ୍କର ୩ଗୋଟି ପିଲାଙ୍କୁ ଅପହରଣ କରିଥିବା ନେଇ ଫୋନ୍ କରିଥିଲେ । ଏବଂ ମହିଳା ଜଣଙ୍କ ନୂଆ ବସଷ୍ଟାଣ୍ଡ ଆସିବାକୁ କୁହାଯାଇଥଲା ।

ମହିଳା ଜଣଙ୍କ ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ଯୁବକ ଜଣଙ୍କ ତାଙ୍କର ମୋବାଇଲ ଝାମ୍ପିନେଇ ମୋବାଇଲଟିକୁ ସୁଇଚ ଅଫ୍ କରିଦେଇଥିଲା । ପରେ ମହିଳାଙ୍କୁ ନେଇ ସମ୍ପୃକ୍ତ ଯୁବକ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍ ନେଇଥିଲା । ସେଠାରୁ ଯୁବକ ଜଣଙ୍କ ସମ୍ବଲପୁର ନେଇ ରାଣୀ ଲଡ଼ଜ୍‌ରେ ଦିନକ ପାଇଁ ରହିଥିଲେ । ପରେ ଯୁବକ ଜଣଙ୍କ ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଢ଼ାରେ ଏକ ଘର ଭଡ଼ା ନେଇ ମହିଳାଙ୍କ ଅନିଚ୍ଛା ସତ୍ତ୍ୱେ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଉଦ୍ଧାର ପରେ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତ ବିକ୍ରମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।