Odia News Portal

ଆତଙ୍କୀ ହମଲା, ୨ ପୋଲିସକର୍ମୀ ଶହୀଦ୍

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଦିନ ଦ୍ୱିପ୍ରହରରେ ଆତଙ୍କବାଦୀ ମାନେ ଗୁଳିକରି ଦୁଇ ପୋଲିସ କର୍ମୀଙ୍କୁ ହତ୍ୟା କରିଛନ୍ତି । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ଦିନ ୧୨ଟାରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି ।ଏହି ଗୁଳିମାଡରେ ୨ ପୋଲିସକର୍ମୀ ଆହତ ହୋଇଥିଲେ । ତେବେ ଚିକିତ୍ସିତ ହେଉଥିବା ବେଳେ ଉଭୟ ସହିଦ ହୋଇଛନ୍ତି । ପୋଲିସ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ ଆତଙ୍କବାଦୀ ମାନେ ପୋଲିସକର୍ମୀଙ୍କ ଉପରକୁ ଅତି ନିକଟରୁ ଗୁଳି ଚାଳନା କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ଉଭୟ ପୋଲିସକର୍ମୀଙ୍କୁ ମୃତ ଘୋଷଣା କରିଛନ୍ତି । ଉଭୟ ଜମ୍ମୁ-କାଶ୍ମୀର ପୋଲିସର କର୍ମଚାରୀ ଅଟନ୍ତି ।ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏହାପୂର୍ବରୁ କାଶ୍ମୀରର ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲା । ସୋପିଆନ ଓ ବଲଗାମରେ ଏହି ଏନକାଉଣ୍ଟର ହୋଇଥିଲା । ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ଅପରେସନ ଆରମ୍ଭ କରିଥିଲା । ତେବେ ଏହି ଏନକାଉଣ୍ଟରରେ ଏସପିଓ ଅଲତାଫ ଅହମ୍ମହ ସହିଦ ହୋଇଥିଲେ । ଏହାସହ ଅନ୍ୟଜଣେ ଯବାନ ଆହତ ହୋଇଥିଲେ । ଏହି ଘଟଣା ପରେ ସୁରକ୍ଷାବଳ ତରଫରୁ ଆତଙ୍କବାଦୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛିି ।