Odia News Portal

ପିପିଲି ଉପନିର୍ବାଚନକୁ ନେଇ ୩ଦଳର ରାଜନୀତି

ଭୁବନେଶ୍ୱର: ଏବେ ନହେଉ ପିପିଲି ଉପନିର୍ବାଚନ । ପିପିଲି ଉପନିର୍ବାଚନକୁ ନେଇ କିଛି ଏମିତି ଦାବି ରଖିଛି କଂଗ୍ରେସ ଦଳ | ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରେସମିଟ୍ ଜରିଆରେ କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇ ନୁହେଁ । ରାଜ୍ୟରେ କରୋନା ସ୍ଥିତି ଉପରମୁହାଁ ଥିବାବେଳେ ନିର୍ବାଚନ ଲଢ଼ିବା କେତେଦୂର ସମୀଚିନ । କଂଗ୍ରେସ ଥରେ ଜଣେ ପ୍ରାର୍ଥୀଙ୍କୁ କରୋନା ଯୋଗୁଁ ହରାଇ ସାରିଛି । ଏହି ଉପନିର୍ବାଚନରେ ସରକାର ବଦଳି ଯିବନି । ତେଣୁ ସମସ୍ତେ ଭୋଟ୍ ଅପେକ୍ଷା ଲୋକଙ୍କ ଜୀବନ କଥା ଭାବନ୍ତୁ ବୋଲି କହିଛନ୍ତି ପ୍ରଦୀପ ମାଝୀ । ପଶ୍ଚିମବଙ୍ଗ ଭଳି ସମାନ ଅବସ୍ଥା ପିପିଲି ଡେଲାଙ୍ଗରେ ନହେଉ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଘୁଞ୍ଚାଇବା ପାଇଁ ବିଜେପି, ବିଜେଡି ଓ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି କଂଗ୍ରେସ ।

ସେହିଭଳି ବିଜେପି ମଧ୍ୟ କୋଭିଡ୍ ଗାଇଡଲାଇନ ଅନୁସାରେ ଉପନିର୍ବାଚନ କରିବାକୁ କହିଛି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କଂଗ୍ରେସ ଅଭିଯୋଗର ବାସ୍ତବତା ଓ ସତ୍ୟତା ନାହିଁ । ଏହା କେବଳ ପଲିଟିକାଲ ଗିମିକ । ନିର୍ବାଚନ ଏକ ଗଣତାନ୍ତିକ ପଦ୍ଧତି । ନୋଟିଫିକେସନ ହୋଇସାରିଛି । ତେଣୁ ନିର୍ବାଚନ ବନ୍ଦ ହେବାର ସମ୍ଭାବନା ନାହିଁ । ଯଦି ସମସ୍ତ ରାଜନୈତିକ ଶହେ ପ୍ରତିଶତ କୋଭିଡ୍ ନିୟମ ମାନି ନିର୍ବାଚନ ଲଢ଼ିବେ, ତେବେ ଏହା ଏକ ଦୃଷ୍ଟାନ୍ତ ମଧ୍ୟ ସୃଷ୍ଟି କରିପାରିବ ।

ଅନ୍ୟପକ୍ଷେ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, କଂଗ୍ରେସ ଯାହା କହୁଛି ତାଙ୍କ ନେତା ସୁରେଶ ରାଉତରାୟ ବିପରୀତ କଥା କହୁଛନ୍ତି । ପ୍ରଥମେ ସେମାନେ ନିଷ୍ପତ୍ତି କରନ୍ତୁ କଣ କରିବେ । ତାପରେ ନିର୍ବାଚନ କମିଶନଙ୍କୁ ଭେଟି ଦାବି ରଖନ୍ତୁ । ନିର୍ବାଚନ କମିଶନ ଯେଉଁ ପ୍ରୋଟୋକଲ କରିଛନ୍ତି, ସେହି ଅନୁସାରେ ନିର୍ବାଚନ ହେଉଛି । ମୁଖ୍ୟମନ୍ତ୍ରୀ କହି ସାରିଛନ୍ତ. ପ୍ରାର୍ଥୀଙ୍କ ସମେତ ୫ ଜଣ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।