Odia News Portal

ସିଦ୍ଧି ସଡକ ଦୁର୍ଘଟଣା: ୩୯ ମୃତଦେହ ଉଦ୍ଧାର

ସିଦ୍ଧି: ମଧ୍ୟପ୍ରଦେଶ ସିଦ୍ଧି ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୯ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ବସରେ ମୋଟ ୫୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ଏନଡିଆରଫ୍, ଏସଡିଆରଏଫ୍ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସଟି ନର୍ସିଂ ଛାତ୍ରଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ନାଳ ଭିତରକୁ ଖସି ପଡିଥିଲା ।

ସୂଚନା ଅନୁଯାୟୀ, ପୁରା ୫୦ ଜଣ ଯାତ୍ରୀଙ୍କୁ ନେଇ ବସଟି ସିଦ୍ଧିରୁ ସତାନା ଯାଉଥିଲା । ସିଦ୍ଧି ଠାରେ ବସଟି ସାମ୍ନାପଟୁ ଆସୁଥିବା ଏକ ବୋଲେରୋ ଗାଡିକୁ ସାଇଡ୍ ଦେବା ବେଳେ ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡିଥିଲା । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକ ଛାତ୍ର ଛାତ୍ରୀ ଅଛନ୍ତି । ନର୍ସିଂ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଥିବାରୁ ସେମାନେ ଏହି ବସ୍ ରେ ସିଦ୍ଧିରୁ ସତାନା ଯାଉଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। କେନାଲରୁ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ପ୍ରଶାସନ ଉଦ୍ଧାରକାର୍ଯ୍ୟ ଜାରି ରଖିଛି।

ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ଜାତୀୟ ରିଲିଫ୍ ଫଣ୍ଡରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ମିଳିବ ବୋଲିଘୋଷଣା କରିଛନ୍ତି । ଏହା ସହ ଆହତ ମାନଙ୍କୁ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।ସେହିଭଳି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗ କରି ଉଦ୍ଧାରକାର୍ଯ୍ୟ ଦ୍ରୁତ ଗତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଘଟଣା ସ୍ଥଳକୁ ୨ ଜଣ ମନ୍ତ୍ରୀଙ୍କୁ ପଠାଇଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହି ଘଟଣାରେ ଗଭୀର ଦୁଖ ପ୍ରକାଶ କରିବା ସହ ଉଦ୍ଧାରକାର୍ଯ୍ୟ ବାବଦରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ଶାହା କହିଛନ୍ତି କି ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ଯଥା ସମ୍ଭବ ସହାୟତା କରୁଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହାତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।