Odia News Portal

ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ 5T ସଚିବ

ରାଉରକେଲା: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T ) ଭି.କେ-ପାଣ୍ଡିଆନ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ସଚିବ ଆରୁ ଭିନିଲ କ୍ରିଷ୍ଣା ରାଉରକେଲା ଯାଇ ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସ୍ଥାନ ପରିଦର୍ଶନ କରିଥିଲେ । ୨୦୨୨ ସୁଦ୍ଧା ଏହାକୁ ସଂପୁର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ସୂଚନାନୁଯାୟୀ, ରାଉରକେଲାରେ ଏକ ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ଘୋଷଣା କରିଥିଲେ । ଏହି ନୂଆ ଷ୍ଟାଡିୟମ ଜାନୁଆରୀ ୨୦୨୩ରେ ଓଡିଶାରେ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ୱକପର ଅନ୍ୟତମ ଆୟୋଜନ ସ୍ଥଳ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ହେବା ସହ ଏହି ଷ୍ଟାଡିୟମରେ ଏକା ସାଙ୍ଗରେ କୋଡିଏ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରେବେ ।

ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ଯେପରି ବିଶ୍ୱ ସ୍ତରୀୟ ଅନୁଭୁତି ପ୍ରଦାନ କରି ପାରିବ ତାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତି କରାଯାଉଛି । ବିଶ୍ୱର ଅତ୍ୟାଧୁନିକ ଏବଂ ସମ୍ମାନିତ ହକି ଷ୍ଟାଡିୟମ ଭାବେ ଏହାକୁ ଗଢିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ମୁଖ୍ୟ ପିଚ୍ ସହ ଫୁଡ ଲାଇଟ, ଅଭ୍ୟାସ ପିଚ୍, ଜିମ୍ , ମିଡିଆ କେନ୍ଦ୍ର,ବେତାର କେନ୍ଦ୍ର ସହିତ ପର୍କିଙ୍ଗ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା ରହିବ । ସୁନ୍ଦରଗଡ ଜିଲ୍ଲା ହକି ଖେଳାଳୀଙ୍କ ପାଇଁ ପ୍ରସିଦ୍ଧ ।

ଭାରତୀୟ ହକିକୁ ସୁନ୍ଦରଗଡର ମହାନ ଅବଦାନ ପ୍ରତି ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି |ଏହି ଷ୍ଟାଡିୟମ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ଏକ ପ୍ରମୁଖ ସ୍ଥାନରେ ପରିଣତ ହେବ ।