Odia News Portal

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ଘଟଣାରେ ୯୮ ଗିରଫ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ତିନି ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାରେ ଏଯାଏ ୯୮ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ନେଇ ଜିଲ୍ଲା ପୁଲିସ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି। ଗତ ୨୧ ତାରିଖରେ ୬୯ ଜଣଙ୍କୁ ଗିରଫ କରାଯିବା ପରେ ଏହି ସଂଖ୍ୟା ୯୮ରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ବାଚ୍ଛୋଳ ପଞ୍ଚାୟତର ୧୨ ଜଣଙ୍କୁ ଗିରଫ କରିଛି ବିଞ୍ଝାରପୁର ଥାନା ପୁଲିସ। ଠିକ୍ ସେହିପରି ଜରି ପଞ୍ଚାୟତର ୪ ଜଣ, ଦଶରଥପୁରର ୧୧ ଜଣ, ବାଲିଚନ୍ଦ୍ରପୁରର ୭, ସୁଜନପୁର ଓ ଏରବାଙ୍କ ପଞ୍ଚାୟତର ୩ ଜଣ, ଅକରପଦା ପଞ୍ଚାୟତର ୭ ଜଣ, ଗୋଲେଇପୁର ପଞ୍ଚାୟତର ୮ ଜଣ, ଦେଓଦା ଏବଂ ଅରାବଳ ପଞ୍ଚାୟତର ୭ଜଣଙ୍କୁ ଗିରଫ କରାଯାଇଛି।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ତିନି ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାରେ ଗିରଫଙ୍କ ସଂଖ୍ୟା ଗତ ୨୦ ତାରିଖ ଗତକାଲି ରାତି ସାଢ଼େ ୧୦ଟା ସୁଦ୍ଧା ୭୧ରେ ପହଞ୍ଚିଥିଲା। ସେଥି ମଧ୍ୟରୁ ସୋମବାର ୪୩ ଜଣ ଗିରଫ ହୋଇଥିବା ଯାଜପୁର ଏସପି ରାହୁଲ ପିଆର୍ ସୂଚନା ଦେଇଥିଲେ। ଯାଜପୁର ଜିଲ୍ଲାର ବିଞ୍ଝାରପୁର ବାଚ୍ଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ଏଯାଏଁ ୧୧ଜଣଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଏମାନେ ସମସ୍ତେ ସ୍ଥାନୀୟ ଲୋକ ବୋଲି ଜଣାପଡିଛି। ତେବେ ଗିରଫ ୧୧ ଜଣଙ୍କ ମଧ୍ୟରେ ୪ ଜଣ ଗୋଟିଏ ପରିବାରର ହୋଇଥିବାବେଳେ ୬ ଜଣ ମହିଳା ଓ ୫ ଜଣ ପୁରୁଷ ଥିବାର ଜଣାପଡିଛି। ବଡ଼ କଥା ଯେ, ଗିରଫ ହୋଇଥିବା ୪ ଜଣ ହେଉଛନ୍ତି ଏହି ଗାଁର ସନାତନ ମଲ୍ଲିକଙ୍କ ସମ୍ପର୍କୀୟ। ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ସନାତନ ମଲ୍ଲିକଙ୍କ ୨ ପୁଅ ନିରଞ୍ଜନ ମଲ୍ଲିକ, ଚନ୍ଦ୍ରମଣି ମଲ୍ଲିକ, ପତ୍ନୀ ସାବିତ୍ରୀ ମଲ୍ଲିକ ଓ ବୋହୂ ଲିପି ମଲ୍ଲିକ ଗିରଫ ହୋଇଛନ୍ତି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ରାଜୁ ମଲ୍ଲିକ, ନବକିଶୋର ମଲ୍ଲିକ, ଲଲାଟେନ୍ଦୁ ମଲ୍ଲିକ, ରୀନା ମଲ୍ଲିକ, କବିତା ମଲ୍ଲିକ, ଭାନୁମତୀ ମଲ୍ଲିକ, ଟିକିଲି ମଲ୍ଲିକ ପ୍ରମୁଖଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନାମରେ ବିଞ୍ଝାରପୁର ଥାନାରେ ମାମଲା ରୁଜୁ ହୋଇଛି।