Odia News Portal

ନିର୍ବୋଧତା ପାଇଁ କ୍ଷମା ମାଗିଲେ ଆୟାର

  • ପୋଲିସ ହେପାଜତରେ ଆୟାର
  • ବୈଜୟନ୍ତଙ୍କ ସହ ପୁରୀ, କୋଣାର୍କ, ଚିଲିକା ବୁଲିଛି
  • ନଭେମ୍ବର 2ରେ ପୁଣି ଥରେ ହାଜିରା, ଦାଖଲ କରିବେ ସତ୍ୟପାଠ

ଭୁବନେଶ୍ବର () : କ୍ଷମା ମାଗିଲେ ଅଭିଜିତ ଆୟାର ମିତ୍ର । ଓଡିଶା ବିଧାନସଭା ଓ କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିବାଦୀୟ ଶିକ୍ଷାବିତ ଅଭିଜିତ ଆୟାର ମିତ୍ରଙ୍କ ସ୍ବରରେ ଆଜି ଥିଲା ନରମ ଭାବ । ଯେଉଁ ଢଙ୍ଗରେ ସେ ଗଣମାଧ୍ୟମ ଓ ଓଡିଶା ବିଧାୟକଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ ସେଥିପାଇଁ ସେ ଆଜି ବିଧାନସଭା ଗୃହ କମିଟି ଆଗରେ କ୍ଷମା ମାଗିଛନ୍ତି । ସେ ନିଜକୁ ନିର୍ବୋଧ ବୋଲି ମଧ୍ୟ କହିଛନ୍ତି । ନିଜର ଏଭଳି ନିର୍ବୋଧ ମନ୍ତବ୍ୟ ପାଇଁ ଆଜି ବିଧାନସଭା ଗୃହ କମିଟି ଆଗରେ ଉପସ୍ଥିତ ହୋଇ କ୍ଷମାପ୍ରାର୍ଥନା କରିଛନ୍ତି । ସେପଟେ ଗୃହ କମିଟିର ଜେରା ପରେ ଅଭିଜିତକୁ ପୋଲିସ ନିଜ ହେପାଜତକୁ ନେଇଛି ।

କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ପରେ ଗଣମାଧ୍ୟମରେ ମୁହଁ ତୋଡ ଦେଖାଇଥିବା ଅଭିଜିତ ଆୟାର ମିତ୍ରଙ୍କର ସ୍ବଭାବରେ ଆଜି ବେଶ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ସେ ଗୃହ କମିଟି ଆଗରେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିଛନ୍ତି । ଅତି ନାଟକୀୟ ଢଙ୍ଗରେ ଆଜି ବିଧାନସଭାର 6ଜଣିଆ ଗୃହ କମିଟି ତାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି । ଅଭିଜିତଙ୍କ ସ୍ବଭାବରେ ମଧ୍ୟ ଆଜି ସେଭଳି ତୋଡ୍ ଦେଖିବାକୁ ମିଳିନଥିଲା । ବରଂ ଆଜି ସେ ଅତି ନରମ ସ୍ବଭାବରେ କମିଟି ସଦସ୍ୟଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ ଗୃହ କମିଟି ଆଗରେ ସ୍ବୀକାର କରିଛନ୍ତି ଯେ, ସେ ବିଧାୟକଙ୍କ ପ୍ରତି ଦେଇଥିବା ନିର୍ବୋଧ ଭଳି ମନ୍ତବ୍ୟ ଦେଇ ସେ ଭୁଲ କରିଛନ୍ତି । ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଅଭିଜିତ ଦେଇଥିବା ବିବୃତି କମ୍ପ୍ୟୁଟରରେ ଟାଇପ ହେଲା ପରେ ସେଥିରେ ସେ ଦସ୍ତଖତ କରିଥିଲେ । ପରେ କମିଟିର ଜେରା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଆସନ୍ତା ନଭେମ୍ବର 2 ତାରିଖରେ ତାଙ୍କୁ ପୁଣି ଥରେ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଦିନ ସେ ବିଧାୟକଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ସଂପର୍କରେ ତାଙ୍କ ପ୍ରତିକ୍ରିୟା ସତ୍ୟପାଠ ଜରିଆରେ ଜଣାଇବେ । ପରବର୍ତ୍ତି ଜେରାରୁ ଅଭିଜିତଙ୍କ ଓକିଲ ମଧ୍ୟ କମିଟି ଆଗରେ ବସିପାରିବେ ବୋଲି ଅନୁମତି ଦିଆଯାଇଛି ।

ଅଭିଜିତଙ୍କୁ କମିଟିର ସଦସ୍ୟମାନେ କି ପ୍ରଶ୍ନ କରିଥିଲେ ଏବଂ ସେ ତାହାର କି ଉତ୍ତର ଦେଇଥିଲେ ସେ ସଂପର୍କରେ ଔପଚାରିକ ଭାବେ କୌଣସି କମିଟି ସଦସ୍ୟ କିଛି କହିନାହିଁ । କିନ୍ତୁ ଅନୌପଚାରିକ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ତାଙ୍କୁ ପ୍ରଥମେ ବିଧାୟକଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ସଂପର୍କରେ ସ୍ପଷ୍ଟିକରଣ ମଗାଯାଇଥିଲା । ତାପରେ ତାଙ୍କୁ ପଚରାଯାଇଥିଲେ, ସେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ କି । ସେ ହେଲିକ୍ୟାପ୍ଟରରେ କେଉଁ କେଉଁ ସ୍ଥାନ ବୁଲିଥିଲେ । ହେଲିକ୍ୟାପ୍ଟରର ପାଇଲଟ କିଏ ଥିଲା । ଏମିତି କିଛି ପ୍ରଶ୍ନରୁ କମିଟି ଯେଉଁ ନିର୍ଯ୍ୟାସରେ ପହଁଚିଛନ୍ତି ସେଥିରୁ ସେମାନେ ଆଗାମୀ ଦିନରେ ଅଭିଜିତଙ୍କ ସହ ହେଲିକ୍ୟାପ୍ଟରରେ ତାଙ୍କର ସହଯାତ୍ରୀଙ୍କୁ ସାକ୍ଷୀ ଭାବେ ଜେରା ପାଇଁ ଡାକିବେ କି ନାହିଁ ସେନେଇ ପରବର୍ତ୍ତି ବୈଠକ ପରେ ନିଷ୍ପତ୍ତି ନିଆଯିବ ।