Odia News Portal

ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରିଯିବା ପରେ ତାଲିବାନ ରକ୍ତମୁହାଁ

ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରିଯିବା ପରେ ତାଲିବାନ ରକ୍ତମୁହାଁ ହୋଇଯାଇଛି । ପଂଜୀଶର ଘାଟିରେ ତାଲିବାନ ବଡ଼ଧରଣର ଆକ୍ରମଣ କରିଛି । ପଂଜୀଶର ଘାଟୀରେ ତାଲିବାନ ବିରୋଧରେ ବିଦ୍ରୋହ କରୁଥିବା ତାଜିକ ନେତା ଅହମଦ ମସୂଦଙ୍କ ନିକଟତର ସୂତ୍ରରୁ କୁହାଯାଇଛି ଯେ, ତାଲିବାନ ଆତଙ୍କବାଦୀମାନେ ମଙ୍ଗଳବାର ସନ୍ଧ୍ୟାରେ ପଂଜୀଶର ଘାଟୀରେ ବଡ଼ଧରଣର ଆକ୍ରମଣ କରିଛନ୍ତି । 

ମସୂଦଙ୍କ ଜଣେ ନିକଟତର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କର ଲଢୁଆମାନେ ତାଲିବାନୀ ଆକ୍ରମଣକୁ ବିଫଳ କରିଦେଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଏବେବି ଲଢ଼େଇ ଜାରି ରହିଛି । ମାତ୍ର ତାଲିବାନ ଏହି ଘଟଣା ସଂପର୍କରେ କୌଣସି ବୟାନ ଦେଇନାହିଁ । କୁହାଯାଉଛି ଯେ, ତାଲିବାନ ଏହି ଆକ୍ରମଣ ଜାବୁଲ ସିରାଜ ଅଂଚଳରେ କରିଛି, ଯାହାକି ପରୱାନ ରାଜ୍ୟର ଅଂଶବିଶେଷ । ଏହି ଆକ୍ରମଣ ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ହୋଇଥାଇପାରେ । କିନ୍ତୁ ଗଣମାଧ୍ୟମରେ ଏହା ସ୍ପଷ୍ଟ କରାଯାଇ ନାହିଁ । 

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ତାଲିବାନର ନିର୍ଦ୍ଧାରିତ ସମୟ ପୂର୍ବରୁ ଆମେରିକା ନିଜର ସେନା ଉପସ୍ଥିତି ଶେଷ କରିଦେଇଛି । ଆଫଗାନିସ୍ତାନରୁ ଆମେରିକାର ଶେଷ ବିମାନ ସି-୧୭ ଅଗଷ୍ଟ ୩୦ ତାରିଖ ଅପରାହ୍ନ ୩ଟା ୨୯ରେ କାବୁବର ହାମିଦ କରଜାଇ ବିମାନବନ୍ଦରରୁ ଉଡିଛି । ଗତ ୧୭ ଦିନ ମଧ୍ୟରେ ଆମର ସୈନିକ ଆମେରିକୀୟ ଇତିହାସରେ ସର୍ବବୃହତ୍ତ ଏୟାରଲିଫ୍ଟ କରିଛି । ମୋଟ ୧ ଲକ୍ଷ ୨୦ ହଜାରରୁ ଅଧିକ ଆମେରିକୀୟ ନାଗରିକ, ଆମର ସହଯୋଗୀ ଏବଂ ସଂଯୁକ୍ତ ରାଜ୍ୟର ଆଫଗାନ ସହଯୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ।