Odia News Portal

କ୍ଷମା ମାଗିଲା ଆମେରିକା

କାବୁଲ୍‌ରେ ସନ୍ଦିଗ୍ଧ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଆତଙ୍କବାଦୀଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ କରିବା ବେଳେ ‘ଭୁଲ୍‌’ କରିପକାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଶୀର୍ଷସ୍ତରୀୟ ଜେନେରାଲ୍‌ ଶୁକ୍ରବାର ଦିନ ସ୍ବୀକାର କରିଛନ୍ତି। ଗତ ମାସରେ ସଙ୍ଗଠିତ ଉପରୋକ୍ତ ଆକ୍ରମଣରେ ଆତଙ୍କବାଦୀଙ୍କ ପରିବର୍ତ୍ତେ କିଛି ପିଲାଙ୍କ ସମେତ ୧୦ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା କଥା ସେ କହିଛନ୍ତି । ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକାର ୨୦ ବର୍ଷର ଯୁଦ୍ଧରେ ଉକ୍ତ ଆକ୍ରମଣ ହେଉଛି ଗୋଟାଏ ଭୟବହ ଅବସାନ। କାବୁଲ୍‌ ବିମାନ ବନ୍ଦର ଆକ୍ରମଣ କରିବା ସନ୍ଦିଗ୍ଧ ‘ଆଇଏସ୍‌’ ଆତଙ୍କବାଦୀମାନଙ୍କର ଉଦ୍ଦେଶ୍ୟ ବୋଲି ଯୁକ୍ତରାଷ୍ଟ୍ର ଆମେରିକୀୟ ଗୁଇନ୍ଦା ସୁନିଶ୍ଚିତ କରି କହିଥିଲା ବୋଲି ‘ୟୁଏସ୍‌ ସେଣ୍ଟ୍ରାଲ୍‌ କମାଣ୍ଡ୍‌’ର ଉଚ୍ଚସ୍ତରୀୟ କମାଣ୍ଡର୍‌ ଜେନେରାଲ୍‌ କେନିଥ୍ ମ୍ୟାକ୍‌କେଞ୍ଜି କହିଛନ୍ତି । ତଦନ୍ତ ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ମ୍ୟାକ୍‌କେଞ୍ଜି କହିଲେ, ଉପରୋକ୍ତ ଆକ୍ରମଣ ଗୋଟାଏ ମାରାତ୍ମକ ଭୁଲ୍‌। ଗୁଇନ୍ଦା ରିପୋର୍ଟକୁ ଆଧାର କରି ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଉକ୍ତ ‘ଧଳା ଟୋୟୋତା କୋରୋଲା’ କାର୍‌ ଉପରେ ଆମେରିକୀୟ ସେନା ଦୃଷ୍ଟି ରଖିଥିଲା ।