Odia News Portal

‘ଅଚାନକ’ ଏବେ ବେଶ୍‍ ଲୋକପ୍ରିୟ

ଭୁବନେଶ୍ୱର : ଓଡିଆ ଶବ୍ଦ ‘ଅଚାନକ’ ଏବେ ଭାରି ଲୋକପ୍ରିୟ । ମନ୍ତ୍ରୀ ହୁଅନ୍ତୁ କିମ୍ବା ଅଫିସର ଯେଉଁଠାକୁ ଯାଉଛନ୍ତି ସେଠାରେ
ତାଙ୍କର ଅଚାନକ ଗସ୍ତକୁ ନେଇ ଆଲୋଚନା । ଲୋକେ ଶାସନକଳର ଏଭଳି ଅଚାନକ ଗସ୍ତକୁ ଭୁରି ଭୁରି ପ୍ରଶଂସା କରିବା ସହିତ ଏହା ଜାରି ରଖିବାକୁ ବି ମତ ଦେଲେଣି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମ ଘୋଷଣା ସହିତ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ
ଅଫିସରମାନଙ୍କୁ ଅଚାନକ ଗସ୍ତ କରିବାପାଇଁ କହିଥିଲେ ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ ହେଉଛି ସେ ସଂକ୍ରାନ୍ତରେ ସୂଚନା ସଂଗ୍ରହ କରିବା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇଲାପରେ ମନ୍ତ୍ରୀ, ବିଧାୟକ ଓ ଅଫିସରମାନେ ଏବେ ସାରା ରାଜ୍ୟରେ ଅଚାନକ ଗସ୍ତ ଆରମ୍ଭ କରିଛନ୍ତି । ମୋ ସରକାର ଯୋଜନା ପ୍ରଥମ ପର୍ଯ୍ୟାୟରେ ଡାକ୍ତରଖାନା ଓ ଥାନାରେ ଲାଗୁ ହୋଇଥିଲେ ମଧ୍ୟ ଅନ୍ୟ ଦପ୍ତର ଗୁଡିକୁ ବି ଅଚାନକ ଗସ୍ତ ଚାଲିଛି ।

ଏହା ଫଳରେ ଥାନା, ଡାକ୍ତରଖାନା ଠାରୁ ଆରମ୍ଭକରି ବିଦ୍ୟାଳୟ ଓ ଅନ୍ୟାନ୍ୟ ଦପ୍ତରରେ କର୍ମଚାରୀ ଏବେ ସଜାଗ ।
କେତେବେଳେ କିଏ ଆସି କାର୍ଯ୍ୟ ତଦାରଖ କରିବ ସେଥିପାଇଁ ତାଙ୍କର ନିଦ ଏକ ପ୍ରକାର ହଜି ଗଲାଣି । ଚତୁର୍ଥଶ୍ରେଣୀ
କର୍ମଚାରୀଙ୍କ ଠାରୁ ଆରମ୍ଭକରି ପ୍ରଥମଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଗତିଆର । ସମୟ ପୂର୍ବରୁ ଶିକ୍ଷକ ବିଦ୍ୟାଳୟ ଛାଡୁ ନାହାନ୍ତି କି କିରାଣୀ ଦପ୍ତର । ଏହା ଦେଖି ସାଧାରଣ ଲୋକେ ଏବେ ଖୁସି । ସେମାନେ ଦୀର୍ଘଦିନ ଧରି ଯାହା ଖୋଜୁଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାହା କାର୍ଯ୍ୟକାରୀ ହେଉଥିବାରୁ ଏଭଳି ଅଚାନକ କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳିବାରେ ଲାଗୁଛି ।

ଅବସ୍ଥା ଏଭଳି ହେଲାଣି ଯେ ଥାନା, ଡାକ୍ତରଖାନା ଠାର ଆରମ୍ଭ କରି ବିଭିନ୍ନ ସରକାରୀ ଦପ୍ତରକୁ କାମପାଇଁ ଯାଉଥିବା ଲୋକେ
ସରକାରଙ୍କ ଅଚାନକ ଗସ୍ତ ଉପରେ ଆଲୋଚନା କରିବାରେ ଲାଗିଲେଣି । ବିରୋଧି ଯେତେ ବିରୋଧ କଲେ ବି ଅଚାନକ ଶବ୍ଦ ଟି ଏବେ ଲୋକପ୍ରିୟ ହେବାରେ ଲାଗିଛି । ଯିଏ ମନ୍ତ୍ରୀ,
ଅଫିସରଙ୍କ ଏଭଳି ଗସ୍ତକୁ ବିରୋଧ କରୁଛି ଲୋକେ ତାହାକୁ ଭିନ୍ନ ଦୃଷ୍ଟିରେ ଦେଖିଲେଣି । ଏପରିକି କେତେକ ସ୍ଥାନରେ ବିରୋଧ
ସହିତ ଯୁକ୍ତି ତର୍କ ବି କରୁଛନ୍ତି । ଖୋଦ ରାଜଧାନୀରେ ଅଚାନକ ଗସ୍ତ ଯୋଗୁଁ କୃଷି, ସ୍ୱାସ୍ଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ଭଳି ଦପ୍ତର
ଓ ବିଦ୍ୟାଳୟ ଗୁଡିକରେ ଏବେ କାମସବୁ ଠିକ୍‍ଠାକ୍‍ ଚାଲିଛି ।

ଥାନାକୁ ବିଭାଗୀୟ ମନ୍ତ୍ରୀ ଅଚାନକ ଗସ୍ତରେ ଯିବାଦ୍ୱାରା ସେଠାରେ ଲୋକେ ଆଉ ପୂର୍ବଭଳି ବ୍ୟବହାରର ଶିକାର ହେଉନାହାନ୍ତି । ମୋଟାମୋଟି ଭାବେ ୫-ଟି ଓ ମୋ ସରକାର ଭଳି ରାଜ୍ୟରେ ଅଚାନକ ଶବ୍ଦଟି ବେଶ୍‍ ଲୋକପ୍ରିୟ ହେବାରେ ଲାଗିଛି । ତେବେ ଆଗକୁ ଏହା କେତେଦିନ ଜାରି ରହିବ ଓ ଲୋକଙ୍କ ମଧ୍ୟରେ ଆହୁରି କେତେ ପ୍ରିୟଭାଜନ ହେବ ତାହାକୁ ନେଇ ଏବେ ଠାରୁ ଆକଳନ କରିବା ଅସମ୍ଭବ ।