Odia News Portal

ଅତ୍ୟାଧୁନିକ କଂସେଇଖାନାରେ କଳଙ୍କି, ପାଲଘେରା ନିର୍ଦ୍ଦେଶ ମାଂସ ଦୋକାନୀଙ୍କୁ ସୁହାଇଛି

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (BMC)ପ୍ରତିଷ୍ଠା
କରିଥିବା ଅତ୍ୟାଧୁନିକ କଂସେଇଖାନାରେ କଳଙ୍କି ଲାଗୁଥିବାବେଳେ ମାଂସ ଦୋକାନୀଙ୍କୁ ନାଲିକନା ଟାଣିବାପାଇଁ ଆଦେଶ ଦେଇ ନିଗମ କର୍ତ୍ତୃପକ୍ଷ କାମ ସାରି ଦେଇଛନ୍ତି । ଏହି ମଉକାରେ ରାଜଧାନୀର ମାଂସ ଦୋକାନୀମାନେ ପାଲ ପଛପଟେ କି ପ୍ରକାର ପଶୁ ମାରି ଲୋକଙ୍କୁ ମାଂସ ବିକ୍ରି କରୁଛନ୍ତି ତାହା ଲୋକେ ଜାଣିବା ମୁସ୍କିଲ ହୋଇପଡିଲାଣି । ନିଗମର ଏଭଳି କାରବାର ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢାଉଛି । ଗାଡକଣ ମୌଜାରେ ବିଏମ୍‍ସି ପକ୍ଷରୁ ପ୍ରାୟ ୪କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ କଂସେଇଖାନା ନିର୍ମାଣ ହୋଇଛିା  ଏହା ଭିତରେ ପ୍ରାୟ ଦେଢ କୋଟି ଟଙ୍କାର ଯବପାତି ଲାଗିଛି । ଖୋଦ୍‍ ମୁଖ୍ୟମନ୍ତ୍ରୀ  ଦୁଇବର୍ଷ ତଳେ ଏହାକୁ ଉଦ୍‍ଘାଟନ ବି
କରିଛନ୍ତି ।
ହେଲେ ଉଦ୍‍ଘାଟନ ପରଠାରୁ ଏଠାରେ ଗୋଟିଏ ହେଲେ ପଶୁ ବଦ୍ଧ ହୋଇନାହିଁ । କୁହାଯାଉଛି ଏହାକୁ ଚଳାଇବାକୁ କେହି ଆଗେଇ ଆସୁନାହାନ୍ତି । ଦୈନିକ ପ୍ରାୟ ୧୦୦ଟି ଛେଳି କାଟିବାର କ୍ଷମତା ଥିବା କଂସେଇଖାନା ଏବେ କଳିଙ୍ଗି ଲାଗି ଏକ ପ୍ରକାର ଅନାଥ ଅବସ୍ଥାରେ । ଆଉ କିଛିଦିନ ପରେ ଏହାର ଯନ୍ତପାତିକୁ କବାଡିବାଲା ନେବେ ବୋଲି କୁହାଗଲାଣି । ଏହି କଂସେଇ ଖାନାକୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଉଦ୍‍ଘାଟନ କରି ଦିନଟିଏ ପାଇଁ ଚଳାଇବାରେ ସକ୍ଷମ ହୋଇପାରିନଥିବା ବିଏମ୍‍ସି ଏବେ ରାସ୍ତା କଡରେ ଛେଳିକଟା ଦୃଶ୍ୟକୁ ଲୁଚାଇବାକୁ ମାଂସ ଦୋକାନୀଙ୍କୁ କପଡା କିମ୍ବା ପାଲ ଘେରାଇବାକୁ ନିଦେର୍ଦଶ ଦେଇଛି ।
କଙ୍କଡାକୁ ଗୋଳିଆପାଣି ସୁହାଇଲା ଭଳି ଦୋକାନୀମାନେ ବି ଏହାକୁ ତତ୍‍କାଳ ଲାଗୁ କରିଛନ୍ତି । ଚାରିପଟେ କପଡା ବାନ୍ଧି ଛେଳି କାଟୁଛନ୍ତି । ପୂର୍ବଭଳି ଆଉ ଲୋକେ ଦେଖିବାର ସୁଯୋଗ ନାହିଁ । ଖାସି, ମାଇଛେଳି ସବୁ କଟା ଚାଲିଛି । ରାଜଧାନୀରେ ଦିନେ କାଳେ ହେଲେ ଖାଦ୍ୟ ନିରୀକ୍ଷକଙ୍କ ପାତ ମାଂସକଟା ଦୋକାନରେ ପଡୁନଥିବାରୁ ସେମାନେ ଏବେ ପାଲଘେରା ନିୟମକୁ କଡାକଡି ପାଳନ କରୁଛନ୍ତି । ସରକାର ପ୍ରତିଷ୍ଠା କରିଥିବା କଂସେଇ ଖାନାରେ ଛେଳି କଟାଯାଇ ସହରରେ ବିକ୍ରି ହୋଇଥିଲେ ରାଜଧାନୀବାସୀ ଉଚିତ୍‍ ମୂଲ୍ୟରେ ଉନ୍ନତ ଧରଣର ମାଂସ ପାଇଥାନ୍ତେ । ହେଲେ କିଛି ମାଂସ ବେପାରୀ ଓ କିଛି ଅଧିକାରୀ ମିଶି ଏହା କରାଇ ଦେଲେ ନାହିଁା  ଫଳରେ ସ୍ମାର୍ଟସିଟି ବାସୀ ଏବେ ଖୋଲାଖୋଲି ଭାବେ ନାଳ ନର୍ଦ୍ଦମା ଉପରେ କଟା ଯାଉଥିବା ମାଂସ ଖାଉଛନ୍ତି । ଦୈନିକ ଶହ ଶଡ ମାଈଛେଳି ରାଜଧାନୀକୁ ଆସି କଟାଯାଇ ବିକ୍ରି ହେଉଛି ।
ଏହାକୁ ରୋକିବାକୁ ନା ପ୍ରଶାସନର ନିଘା ଅଛି ନା ସାଧାରଣ
ଲୋକେ ଜାଣିବାକୁ ବାଟ ଅଛି । ତା ସାଙ୍ଗକୁ ବିଏମ୍‍ସିର ପାଲଘେରା ନିୟମ ଏବେ ଦୋକାନୀଙ୍କୁ ବେଶ୍‍ ସୁହାଇଛି । ରାଜଧାନୀରେ ରାସ୍ତାକଡ ପଶୁବଦ୍ଧ ଉପରେ କଟକଣା ଲଗାଇବାକୁ କଂସେଇଖାନା ତିଆରି ହୋଇ ପଡି ରହିଥିବାବେଳେ ଏବେ ସ୍ମାର୍ଟ ସିଟିର ଯୁଆଡେ ଦେଖିବ ସିଆଡେ ଅସ୍ଥାୟୀ କଂସେଇଖାନା ବସୁଛି । ତିନିଖଣ୍ଡ ବାଉଁଠ ହେଲେ ମାଂସଦୋକାନ ଛିଡା ହୋଇଯାଉଛି । କେଉଁଠି ବିଦ୍ୟାଳୟ ପାଚେରୀରେ ଛେଳି ମରାଯାଇ ଟଙ୍ଗାଯାଉଛି ତ ଆଉ କେଉଁଠି ସର୍ବସାଧାରଣଙ୍କ କଲୋନି ନିକଟରେ । ଦିନକୁ ଦିନ ଏହା ଅତ୍ୟନ୍ତ ଭୟାନକ ଦୃଶ୍ୟ ସୃଷ୍ଟି କରୁଥିବାବେଳେ ଏହାକୁ ରୋକିବାପାଇଁ କିନ୍ତୁ କାହାର ସେଭଳି ଆଗ୍ରହ ଥିବାଭଳି ଲକ୍ଷ୍ୟ କରାଯାଉ ନାହିଁ ।