Odia News Portal

ଲକ୍ଷ୍ୟଠାରୁ ଦୂରେଇ ବାଟବଣା ହୋଇଛନ୍ତି ସଂଘ ନେତା : ସଚିବାଳୟ ସେବା ସଂଘ ସଭ୍ୟଙ୍କ ଅଭିଯୋଗ

ଭୁବନେଶ୍ୱର : ଗତ ପାଞ୍ଚବର୍ଷର କାର୍ଯ୍ୟକଳାପକୁ ବିଚାର କରି ସଚିବାଳୟ ସେବା ସଂଘ ତା’ର ନେତାଙ୍କ ପାଇଁ ମୂଳ ଲକ୍ଷ୍ୟଠାରୁ ଓହରିଯାଇ ଇତିମଧ୍ୟରେ ବାଟବଣା ହୋଇଯାଇଛି ବୋଲି ନୂତନ ସଭ୍ୟଙ୍କ ସାଙ୍ଗକୁ କେତେକ ପୁରୁଣା ସଭ୍ୟ ଅଭିଯୋଗ ଆଣିଛନ୍ତି । ନେତାଙ୍କ ବେପାରୀ ବୁଦ୍ଧି ଓ ଅପରିଣାମଦର୍ଶିତା ପାଇଁ ସଂଘ ସାଙ୍ଗକୁ ସଚିବାଳୟ ସେବା ତା’ର ଗାରିମାରେ ଅବନତି ହୋଇଛି ବୋଲି କୁହାଯାଇଛି । ସଚିବାଳୟ ସେବା ସଂଘ ହେଉଛି ରାଜ୍ୟର ସର୍ବପୁରାତନ କର୍ମଚାରୀ ସଂଘ । ଅନ୍ୟ ସଂଘ ପରି ଏହାର ମୂଳଲକ୍ଷ୍ୟ ଥିଲା କର୍ମଚାରୀଙ୍କ ସୁଖ ସୁବିଧା, ପଦୋନ୍ନତି, ଦରମା, ବିଭିନ୍ନ ଭତ୍ତା, ପେନ୍‍ସନ୍‍ ଓ ତତ୍‍ସଂଯୁକ୍ତ ଅନ୍ୟ ସୁବିଧା । ବିଭିନ୍ନ ଚାକିରି ସର୍ତ୍ତାବଳି, ପୁନର୍ବାସ ଥଇଥାନ ଯୋଜନା ପ୍ରଭୃତି ବିଷୟ ପ୍ରତି ଧ୍ୟାନ ଦେବା ଓ ଆବଶ୍ୟକ ସ୍ଥଳେ ଅଧିକ ସୁବିଧା ପାଇଁ ସରରକାରଙ୍କ ନିକଟରେ ଦାବି ରଖିବା । ଏହା ବ୍ୟତୀତ କର୍ମଚାରୀଙ୍କୁ ସରକାରୀ ଆକ୍ରୋଶରୁ ରକ୍ଷା କରିବା, ଦଣ୍ଡର ମାନ ଲାଘବ କରିବା ଏବଂ ସେ ସଂକ୍ରାନ୍ତରେ ଆଇନର
ଆବଶ୍ୟକ ସଂଶୋଧନ ପାଇଁ ପଦକ୍ଷେପ ନେବା ମଧ୍ୟ ସଂଘର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।
କେବଳ ସେତିକି ନୁହେଁ, ଅପରପକ୍ଷରେ ପ୍ରଶାସନରେ ଶୃଙ୍ଖଳା ଆଣିବା, ଲୋକସେବାକୁ ତ୍ୱରାନ୍ୱିତ କରିବା, ନିୟମର ସରଳୀକରଣ ପାଇଁ ସରକାରଙ୍କ ସହିତ ସହଯୋଗ କରିବା ମଧ୍ୟ ଏକ ବଡ଼ ଦାୟିତ୍ୱ । କହିବାକୁ ଗଲେ ଅନ୍ୟ ସଂଘ ଅପେକ୍ଷା ସଚିବାଳୟ ସେବା ସଂଘର ଏ କ୍ଷେତ୍ରରେ ଏକ ଗୁରୁଦାୟିତ୍ୱ ରହିଛି । ଏମାନଙ୍କ ହାତରେ ଏ ସମସ୍ତ ପ୍ରସଙ୍ଗରେ ଆଇନ୍‍ ତିଆରି ହୁଏ । ଏମାନେ ସେଇଠି କାମ କରନ୍ତି ଯେଉଁଠି ଏସବୁ ଉପରେ ନିଷ୍ପତ୍ତି ନିଆଯାଏ । ଅଭିଯୋଗ ମୁତାବକ ସଂଘ ଦୀର୍ଘ ଦିନରୁ ମୁଖ୍ୟତଃ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ନେଇନାହିଁ । ଆବଶ୍ୟକ ମୁତାବକ କର୍ମଚାରୀ ନିଯୁକ୍ତି ନ ହେବାରୁ କାମର ଚାପ ବଢ଼ିଲା । ଅଥଚ ସଂଘ ନିରବ ରହିଲା । ସପ୍ତମ ବେତନ ଆଧାରରେ ଘରଭଡ଼ା ଭତ୍ତା ନିର୍ଦ୍ଧାରଣ କରାଗଲା ନାହିଁ । ଟିଏ ଓ ଡିଏର ସମୀକ୍ଷା କରାଗଲା ନାହିଁ । ସଂଘ ଚୁପ୍‍ ରହିଲା । ମେଡ଼ିକାଲ ଭତ୍ତା ଦାବିକୁ ସରକାର ଚାପିଦେଲେ । ସଂଘ ପ୍ରତିବାଦ କଲା ନାହିଁ । ମହଙ୍ଗା ଭତ୍ତା ଠିକ୍‍ ସମୟରେ ମିଳିଲା ନାହିଁ ଅଥଚ ସଂଘ ପଦଟିଏ ମଧ୍ୟ ପାଟି ଖୋଲିଲା ନାହିଁ । ଭିଜିଲାନ୍ସ କେସ୍‍ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଛନ୍ଦି ହୋଇଥିବା କର୍ମଚାରୀଙ୍କ ପାଇଁ ଥିବା ଆଡ୍‍ହକ୍‍ ପଦୋନ୍ନତିର ସୁବିଧାକୁ ସରକାର ଉଚ୍ଛେଦ କରିଦେଲେ । ସଂଘ ଏ ସଂକ୍ରାନ୍ତରେ ମଧ୍ୟ ନିରବ ରହିଲା ।
ପୁନର୍ବାସ ଥଇଥାନ କ୍ଷେତ୍ରରେ ସରକାର ଦିନକୁ ଦିନ ଅଧିକରୁ ଅଧିକ କଟକଣା ଜାରି କରି ଚାଲିଛନ୍ତି । ଅଥଚ ସଂଘ ସେ ସଂକ୍ରାନ୍ତରେ ପଦଟିଏ କହିବା ବା ପ୍ରତିବାଦ କରିବାକୁ ଉଚିତ୍‍ ମନେ କଲାନାହିଁ । କର୍ମଚାରୀଙ୍କୁ ଆଗୁଆ ଅବସର ଦେବା ପାଇଁ ସରକାର ନିୟମ ଆଣିଲେ । କୌଣସି କାରଣ ନ ଦର୍ଶାଇ କେତେକ କର୍ମଚାରୀଙ୍କୁ ରାତାରାତି ଅବସର ଦିଆଗଲା । ସଂଘ ପାଟି ଖୋଲିଲା ନାହିଁ । ସବୁଠାରୁ ବଡ଼ ଅବହେଳାର ବିଷୟ ହେଲା ସାଧାରଣ ପ୍ରଶାସନ ବିଭାଗ କର୍ମଚାରୀଙ୍କ ସାଧାରଣ ଚାକିରି ସର୍ତ୍ତାବଳୀରେ ସଂଶୋଧନ ପାଇଁ ବିଭିନ୍ନ କର୍ମଚାରୀ ସଂଘଠାରୁ ପ୍ରସ୍ତାବ ଆହ୍ୱାନ କରିଥିବା ବେଳେ ସଚିବାଳୟ ସେବା ସଂଘ ନା ଏହା ଉପରେ ଆଲୋଚନା କରିଥିଲା ନା ଏକ କର୍ମଶାଳାର ଆୟୋଜନ କରିଥିଲା ନା କୌଣସି ପ୍ରସ୍ତାବ ଦେଇଥିଲା । ଏହା ଏକ ଦୁଃଖର ବିଷୟ ବୋଲି ଅନେକ ବରିଷ୍ଠ ନେତା ମତ ଦେଇଛନ୍ତି । ଅପରପକ୍ଷରେ ସଂଘ ଘରକୁ ଭଡ଼ା ଦେଇ ନେତା ପଇସା ଆଦାୟ କରୁଛନ୍ତି । କିଏ ସେଠି ଟେଣ୍ଟ କରୁଛି ତ କିଏ କ୍ୟାଟରିଂ ବେପାର ।
ପୁଣି ସେଠାରୁ ଆଦାୟ ଅର୍ଥକୁ ଆତ୍ମସାତ କରିବାକୁ ଚକ୍ରାନ୍ତ । ଗତ ପାଞ୍ଚ ବର୍ଷରେ ଏହି ଅର୍ଥକୁ ନେଇ ଟଣାଓଟରା, ଆରୋପ ପ୍ରତ୍ୟାରୋପର ଖେଳ ଚାଲିଛି । କୌଣସି ଗଠନ ମୂଳକ ପ୍ରସ୍ତାବ ଦିଆଯାଇନାହିଁ । ନୂତନ ସଭ୍ୟଙ୍କ ସାଙ୍ଗକୁ ଅନେକ ସଭ୍ୟ ନେତାଙ୍କର ଏ ପ୍ରକାର ମାନସିକତା ପାଇଁ ସଂଘ ରସାତଳଗାମୀ ହୋଇଛି ବୋଲି ଅଭିଯୋଗ କରୁଛନ୍ତି । ଆଗାମୀ ଦିନରେ ସଂଘକୁ ବେପାରୀ ନେତାଙ୍କ ହାତରୁ ମୁକଳାଇ ଭଲ, ଉତ୍ତରଦାୟୀ, ମାନୀ, କର୍ତ୍ତବ୍ୟ ପ୍ରତି ସଚେତନ ରହୁଥିବା ନେତାଙ୍କ ହାତରେ ସଂଘର ଦାୟିତ୍ୱ ଦେବାକୁ ସଚିବାଳୟର ବାଟେ ଘାଟେ ଆଲୋଚନା ହେଉଛି । ସଚିବାଳୟର ଉଚ୍ଚ ଶିକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ପଦବୀରେ କାମ କରୁଥିବା କର୍ମଚାରୀ
କିପରି ନେତା ନିର୍ବାଚନ କରୁଛନ୍ତି ତାହା ଆଗକୁ ଦେଖିବାକୁ ବାକି ରହିଲା ।