Odia News Portal

ରାଜ୍ୟସଭା ଗଣିତ : ଫେଲ୍ ମାରିବ ଵିରୋଧୀ ଆକଳନ, ପୋଛିନେଵ ଵିଜେଡି

ଭୁବନେଶ୍ୱର : ଓଡ଼ିଶା ସମେତ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ତାରିଖ ଘୋଷଣା ହେବା ପରେ ଓଡ଼ିଶାରୁ କେଉଁ ଚାରି ଜଣ ସଂସଦର ଉପର ଭବନକୁ ନିର୍ବାଚିତ ହେବେ ତାକୁ ନେଇ ବିଭିନ୍ନ ସ୍ତରରେ ନାନା ଗଣିତ କଷା ଚାଲିଛି । ହେଲେ ରାଜ୍ୟସଭା ଗଣିତକୁ ହିସାବ କଲେ ସ୍ପଷ୍ଟ ହେଉଛି ଯେ, ବିରୋଧୀ ସବୁ ଆକଳନ ଫେଲ୍ ମାରିବ । ଯଦି ସେଭଳି କୌଣସି ଜରୁରୀ ପରିସ୍ଥିିିତି ନ ଉପୁଜେ ବିଜେଡି ସମସ୍ତ ଚାରୋଟିଯାକ ଆସନ ପୋଛିନେବ । ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଚାରୋଟି ରାଜ୍ୟସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ । ଏଥର ନିର୍ବାଚନରେ ପ୍ରଥମ ପସନ୍ଦର ୩୦ଟି ଭୋଟ ପାଇଲେ ଜଣେ ରାଜ୍ୟସଭାକୁ ନିର୍ବାଚିତ ହୋଇପାରିବ । ତେଣୁ ସଂଖ୍ୟାଦୃଷ୍ଟିରୁ ୧୧୩ ଜଣ ବିଧାୟକଙ୍କ ଶକ୍ତିରେ ବିଜେଡିର ୩ଜଣ ପ୍ରାର୍ଥୀ ସହଜରେ ପ୍ରଥମ ପସନ୍ଦର ଭୋଟ ପାଇ ନିର୍ବାଚିତ ହୋଇପାରିବେ ।
ସମସ୍ତଙ୍କ ନଜର ରହିଛି ଚତୁର୍ଥ ଆସନ ଉପରେ । କିଏ କହୁଛନ୍ତି ଚତୁର୍ଥ ଆସନଟିକୁ ବିଜେଡିର ସଂଖ୍ୟା ହେଉନଥିବାରୁ ବିଜେପିକୁ ଟେକିଦେବ । ତେବେ ସଂଖ୍ୟାର ଖେଳରେ ଚତୁର୍ଥ ଆସନଟିକୁ ହାତେଇବା ବିଜେଡି ପାଇଁ କଷ୍ଟକର ହେବନାହିଁ । ବିଧାନସଭାରେ କଂଗ୍ରେସର ମାତ୍ର ୯ ଜଣ ବିଧାୟକ ଥିବାରୁ ଏହି ଜାତୀୟ ଦଳ ପ୍ରାର୍ଥୀ ଦେବା ସ୍ଥିତିରେ ମଧ୍ୟ ନାହିଁ । କାରଣ ରାଜ୍ୟସଭା ପ୍ରାର୍ଥିତ୍ୱ ପାଇଁ ଜଣଙ୍କୁ ୧୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଯଦି ସିପିଏମ୍‌ର ଏକ ମାତ୍ର ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା କଂଗ୍ରେସକୁ ସମର୍ଥନ କରନ୍ତି ତେବେ ଯାଇ ଦଳ ପ୍ରାର୍ଥୀ ଦେବା ସ୍ଥିତିକୁ ଆସିବ । ହେଲେ କଂଗ୍ରେସ ଜିତିବା ଆଦୌ ସମ୍ଭବ ନୁହେଁ । ସେହିଭଳି ବିଜେପିର ୨୩ ଜଣ ବିଧାୟକ ଥିବାରୁ ଦଳ ପ୍ରାର୍ଥୀ ସିନା ଦେଇପାରିବ, ହେଲେ ଜିତାଇବା ସହଜ ନୁହେଁ । ବିଜେଡିରୁ ଆଉ ୭ ଜଣ ବିଧାୟକଙ୍କୁ ଫଟେଇ କ୍ରସ୍ ଭୋଟିଂ କରେଇବା ବିଜେପି ପାଇଁ ଏକ  ସ୍ୱପ୍ନ ।  ତେବେ ତିନି ଜଣ ପ୍ରାର୍ଥୀଙ୍କୁ ବିଜେଡିର ୯୦ ଜଣ ବିଧାୟକ ପ୍ରଥମ ପସନ୍ଦର ଭୋଟ ଦେଇସାରିବା ପରେ ଚତୁର୍ଥ ପ୍ରାର୍ଥୀଙ୍କ ସପକ୍ଷରେ ଆଉ ୨୩ ଜଣ ବିଧାୟକଙ୍କ ଭୋଟ ମିଳିବ ।
ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଜେଡିକୁ ସମର୍ଥନ କରୁଥିବାରୁ ତାଙ୍କ ଭୋଟ ମଧ୍ୟ ବିଜେଡି ପ୍ରାର୍ଥୀ ସପକ୍ଷରେ ଯିବ । ପରବର୍ତ୍ତୀ ଗଣତିରେ ଜିତିଥିବା ପ୍ରଥମ ତିନି ଜଣଙ୍କ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦର ଭୋଟ ଦେଇଥିବା ବିଧାୟକମାନଙ୍କ ଦ୍ୱିତୀୟ ପସନ୍ଦର ଭୋଟ ଗଣତି କରାଯିବ । ବିଜେଡିର ଯେଉଁ ୯୦ ଜଣ ବିଧାୟକ ପ୍ରଥମ ୩ ଜଣ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦର ଭୋଟ ଦେଇଥିବେ ସେମାନେ ଚତୁର୍ଥ ପ୍ରାର୍ଥୀଙ୍କୁ ମଧ୍ୟ ଦ୍ୱିତୀୟ ପସନ୍ଦ ଭାବେ ଭୋଟ ଦେଇଥିବେ । ତେଣୁ ଦ୍ୱିତୀୟ ପସନ୍ଦର ଭୋଟ ଗଣତିରେ ବିଜେଡିର ଚତୁର୍ଥ ପ୍ରାର୍ଥୀ ନିଶ୍ଚିତ ଭାବେ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ରହିବେ । ତେଣୁ ଚାରୋଟି ଯାକ ରାଜ୍ୟସଭା ଆସନ ହାତେଇବା ବିଜେଡି ପାଇଁ ଅସମ୍ଭବ ନୁହେଁ