Odia News Portal

ୱାର୍ଡ଼ ନଂ-୭ ରେ ସାମୂହିକ ସଫେଇ

ଭୁବନେଶ୍ୱର : ଆଜି ସରିଛି ଦ୍ୱିତୀୟ ସାମୁହିକ ସଫେଇ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ୱାର୍ଡ଼ ନଂ-୭ ର ଶୈଳଶ୍ରୀ ବିହାର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରାଯାଇ ଉକ୍ତ ଅଂଚଳର ବିଭିନ୍ନ ସ୍ଥାନକୁ ସାମୂହିକ ସଫେଇର ଅଂଶଗ୍ରହଣକାରୀମାନେ ଯାଇଥିଲେ । ଭୁବନେଶ୍ୱରରେ ପରିମଳ ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆରମ୍ଭ କରାଯାଇଥିବା ‘‘ମୁଁ ସଫେଇବାଲା’’ ଅଭିଯାନ ଅଧିନରେ ଆଜି ଏହି କାର୍ଯ୍ୟକ୍ରମରେ ଉକ୍ତ ଅଂଚଳର ଆଗ୍ରହୀ ନାଗରିକଙ୍କ ସହିତ ଯୋଗ ଦେଇଥିଲେ ବି.ଏମ୍‌.ସି କମିଶନର ପ୍ରେମଚନ୍ଦ୍ର ଚୋøଧରୀ । ସକାଳ ୭ ଘଟିକା ୩୦ ମିନିଟ୍ ସମୟରେ ଆରମ୍ଭ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ସିନେ ତାରକା ଅଶ୍ରୁମୋଚନ ମହାନ୍ତି ଏବଂ ଅନ୍ତର୍ଯ୍ୟାମୀ ପଣ୍ଡା (ପୁଂଟୁ ଭାଇନା) ‘‘ମୁଁ ସଫେଇବାଲା’’ ସାଜି ଯୋଗ ଦେଇଥିବା ନାଗରିକ ମାନଙ୍କ ସହିତ ସଫେଇ କାର୍ଯ୍ୟ କରିଥିଲେ ।

ତେବେ ଆଜିର ଏହି କାର୍ଯ୍ୟକ୍ରମରେ କେବଳ ସାମୂହିକ ସଫେଇ ନୁହେଁ ବରଂ ସେହି ଇଲାକାର ବିଭିନ୍ନ ପରିବାର ଏବଂ ଦୋକାନ ଗୁଡ଼ିକୁ ଯାଇ ଅଂଶଗ୍ରହଣକାରୀ ଅଧିକାରୀ, କର୍ମଚାରୀ ଓ ନାଗରିକମାନେ ପରିମଳ ବାବଦରେ ବୁଝାଇଥିଲେ ଏବଂ ସର୍ବସାଧାରଣ ସ୍ଥାନକୁ ଆବର୍ଜନା ନକରିବା ପାଇଁ ଅନୁରୋଧ କରିଥିଲେ । ଏହାଛଡ଼ା ସର୍ବସାଧାରଣ ସ୍ଥାନରେ ନିର୍ମାଣ ଓ ଭଗ୍ନାବଶେଷ ସାମଗ୍ରୀ ରଖିବା ଦୋକାନ କରି ସର୍ବସାଧାରଣ ରାସ୍ତାକୁ ଆବର୍ଜନା କରିବା ଇତ୍ୟାଦି ନିମନ୍ତେ ଉଚ୍ଛେଦ କରାଯିବା ସହିତ ଖିଲାପକାରୀଙ୍କ ଠାରୁ ୨୩,୨୦୦ ଟଙ୍କାର ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା ।

ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ର ମିଳିତ ସହଯୋଗରେ କରାଯାଉଥିବା ସାମୂହିକ ସଫେଇ କାର୍ଯ୍ୟକ୍ରମରେ ଆଜି ବି.ଏମ୍‌.ସି ର ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ମୁଖ୍ୟ ବିତ ଅଧିକାରୀ ଲାବଣ୍ୟ ଶବର, ଡ଼େପୁଟି କମିଶନର ରାଜସ୍ୱ ଶ୍ରୀମନ୍ତ ମିଶ୍ର ଏବଂ ଜୋନାଲ୍ ଡ଼େପୁଟି କମିଶନର( ଦକ୍ଷିଣ-ପଶ୍ଚିମ ଜୋନ୍ )ରବି ନାରାୟଣ ଜେଠୀ ଉପସ୍ଥିତ ଥିଲେ । ଜୋନାଲ୍ ଡ଼େପୁଟି କମିଶନର ଉତର ପ୍ରମୋଦ କୁମାର ପୃଷ୍ଟି ଏବଂ ଡ଼େପୁଟି କମିଶନର ପରିମଳ ଶୁଭେନ୍ଦୁ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକୁ ସଂଯୋଜନା କରିଥିଲେ ।

କାର୍ଯ୍ୟକ୍ରମକୁ ହୃଦୟଙ୍ଗମ କରି ସହରକୁ ଏବଂ ସହରର ରାସ୍ତାକୁ ନିଜର ମନେକରି ଏହାକୁ ସଫା କରିବା ଏବଂ ଏଗୁଡ଼ିକ ପରିଷ୍କାର ରହିବାରେ ଜନସମୁଦାୟଙ୍କର ଆତ୍ମୀୟତାପୂର୍ଣ୍ଣ ସହଯୋଗ ‘‘ମୁଁ ସଫେଇବାଲା’’ ଅଭିଯାନକୁ ସାକାର କରିବ, କହିଛନ୍ତି ପ୍ରଖ୍ୟାତ ସିନେ କଳାକାର ଅଶ୍ରୁମୋଚନ ମହାନ୍ତି । ସମାନଭାବେ ଆଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୁଂଟୁ ଭାଇନା ‘‘ମୁଁ ସଫେଇବାଲା’’ ସାମୁହିକ ସଫେଇରେ ଯୋଗ ଦେଇଥିବା ପ୍ରାୟ ୫୦୦ ଜଣ ନାଗରିକ, ଛାତ୍ରଛାତ୍ରୀ, ଏନ୍ ଜି ଓ, ଏସ୍ ଏଚ୍ ଜି ସଦସ୍ୟା, ସ୍ଥାନୀୟ ଲୋକନେତା ଏବଂ ମହିଳା ସଙ୍ଗଠନ ଇତ୍ୟାଦିଙ୍କ ଉଦ୍ଦେଶ୍ୟରେ ନିଜର ସାଧୁବାଦ ଜଣାଇଥିଲେ । ଜଣେ କଳାକାର ଯେପରି ସବୁ ଭୁଲିଯାଇ ନିଜକୁ କଳା ମଧ୍ୟରେ ହଜାଇଦିଏ, ଆଜି ଉପସ୍ଥିତ ନାଗରିକମାନେ ନିଜକୁ ସଫେଇବାଲା ସାଜି ଭୁବନେଶ୍ୱର ପରିମଳ ଓ ପରିବେଶକୁ ଉନ୍ନତରୁ ଉନ୍ନତତର କରିବା ପାଇଁ ଆଗେଇ ଆସିଛନ୍ତି ବୋଲି ସେ କହିଥିଲେ । ସାମୂହିକ ସଫେଇକୁ ବ୍ୟବସ୍ଥିତ କରିବା ପାଇଁ ଚାରୋଟି ଦଳରେ ଅଂଶଗ୍ରହଣକାରୀମାନଙ୍କୁ ଭାଗ କରାଯାଇଥିଲା । ପ୍ରଥମ ଦଳ ଜଗନ୍ନାଥ ମନ୍ଦିର ଠାରୁ ଏଲ୍ ସି କ୍ୱାର୍ଟର, ଡ଼ୁପ୍ଲେକ୍ସ ସାମ୍ନା ସର୍ଭିସ୍ ଲେନ୍ ଏବଂ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଓ ଫେଜ୍‌-୨ ର ଉଭୟ ପାଶ୍ୱର୍ ରାସ୍ତାକୁ ଯାଇ ସଫେଇ କରିଥିଲେ । ଦ୍ୱିତୀୟ ଦଳ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଏଫ୍ ଆଣ୍ କ୍ୱାର୍ଟର ଅଂଚଳର ଗଳି ଗୁଡ଼ିକୁ ଯାଇଥିଲେ । ତୃତୀୟ ଦଳ ଜଗନ୍ନାଥ ମନ୍ଦିର ଠାରୁ ମଙ୍ଗଳା ମନ୍ଦିର ଛକ ଭାୟା ଲେବର୍ ଛକ ଏବଂ ଭି ଆଇ ଏମ୍‌-୧ ରୁ ୪୦୦ ପର୍ଯ୍ୟନ୍ତ ଯାଇଥିଲେ । ଚତୁର୍ଥ ଦଳ ସାଇ ମନ୍ଦିର ରାସ୍ତାରୁ ବାମ ପଟକୁ ଯାଇ ଭି ଆଇ ଏମ୍‌-୪୦୧ ରୁ ୮୫୦ ପର୍ଯ୍ୟନ୍ତ ଯାଇଥିଲେ । ଏହି ଦଳ ଗୁଡ଼ିକର ସହଯୋଗ କରିବା ପାଇଁ ଏନ୍ ଜି ଓ ସି ଏଫ୍ ଏ ଆର୍‌, ମୌସୁମୀ, ଜୟ ଓଡ଼ିଶା ଏବଂ କେୟାର୍ ୱାର୍ଲ୍ଡର ସଦସ୍ୟମାନେ ରହିଥିଲେ ।ଫେଜ୍ ୬ ଓ ୭ ର ଆବାସିକ ସଙ୍ଗଠନର ନେତୃବୃନ୍ଦ,ବରିଷ୍ଠ ନାଗରିକ ସଂଘ, ଛାତ୍ରଛାତ୍ରୀ, ବି.ଏମ୍‌.ସି ସହିତ କାର୍ଯ୍ୟ କରୁଥିବା ପରିମଳ ସଂସ୍ଥା ରାମ୍‌କୀର ସଫେଇ କର୍ମୀମାନେ ଏଥିରେ ଭାଗ ନେଇଥିଲେ ।
ସାରା ସହରରେ ମୁଁ ସଫେଇବାଲା କାର୍ଯ୍ୟକ୍ରମ ଚାଲୁରହିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାଟ ର୍ସିଟି ଲିମିଟେଡ୍ ର ମିଳିତ ବୈଠକରେ ଏହି ନିଷ୍ପତିି ନିଆଯାଇଛି ।