Odia News Portal

ଭୁବନେଶ୍ୱରରେ ଲକ୍ ଡ଼ାଉନ ଆଚରଣ ମାନିଲେ ବନ୍‌ଜାରା

ଭୁବନେଶ୍ୱର : ମହାମାରୀ କରୋନାକୁ ବିଶ୍ୱ ଆତଙ୍କ ବୋଲି ଆଖ୍ୟା ଦିଆଯାଉଥିବା ବେଳେ ଗ୍ରାମରୁ ସହର ସମସ୍ତ ସ୍ଥାନରେ ତାହାର ପ୍ରଭାବ ରହିଛି । ତେବେ କରୋନା ପ୍ରତିରୋଧ ନିମନ୍ତେ ଜାରି ରହିଥିବା ଲକ୍ ଡ଼ାଉନ୍ ଅବସ୍ଥା ସମସ୍ତଙ୍କୁ ଏକ ପ୍ରକାର ବନ୍ଦୀ ଭାବେ ରଖି ଦେଇଥିବା ବେଳେ ଏହାର ସୁପରିଚାଳନାର ସୁଫଳ ମଧ୍ୟ ଦେଖିବାକୁ ମିଳିଛି ।

ସ୍ଥାନୀୟ ଆଶ୍ରମ ସ୍କୁଲ୍‌ରେ ରହିଛନ୍ତିି ଛତିଶଗଡ଼ ବିଲାସପୁର ଅଂଚଳର ପାଂଚଟି ଆଦିବାସୀ ପରିବାର । ମାନୁଛନ୍ତି କରୋନା ପ୍ରତିରୋଧର ନିୟମ ।ଏପରିକି ସୁରକ୍ଷିତ ଅଛି ତାଙ୍କର ବେପାର । ପ୍ରତିବର୍ଷ ଭଳି ଶୀତ ଶେଷରେ ସେମାନେ ଚାଲିଆସନ୍ତି ଓଡ଼ିଶାକୁ ନିଜର ଗୁଜୁରାଣ ମେଂଟାଇବା ପାଇଁ । ଖଜୁରୀ ଗଛର ପତ୍ରରୁ ପ୍ରସ୍ତୁତ ଝାଡ଼ୁ ତିଆରି କରି ଏବଂ ଏହାକୁ ବିକ୍ରୀ କରି ସେମାନେ ଯାହା କିଛି ଅର୍ଜନ କରିଥାନ୍ତି ତାହା ନେଇଯାନ୍ତି ନିଜ ରାଜ୍ୟକୁ । ତାଙ୍କ ଫେରିବାର ବେଳ ହେଉଛି ବର୍ଷାର ଆରମ୍ଭ ସମୟ । ଶୀତ ଦିନରେ ଖଜୁରୀ ପତ୍ର ସଂଗ୍ରହ କରି ଚାଲିଆସେ ଏଥିରୁ ଝାଡ଼ୁ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ରହି ତାହା ବିକ୍ରୀ କରିବା ସେମାନଙ୍କର ଏକ ବେଉଷା ।

ସ୍ଥାନୀୟ ରସୁଲଗଡ଼ ଓଭରବ୍ରିଜ୍ ତଳେ ବାସ କରୁଥିବା କିଛି ଅଚିହ୍ନା ବଂଜାରା ପରିବାରଙ୍କ ଠାରେ । ବି.ଏମ୍‌.ସି. ର ଟିମ୍ ଲକ୍ ଡ଼ାଉନ୍ ସମୟରେ ଅସହାୟଙ୍କୁ ରୀତିମତ ଖାଦ୍ୟ ବାଂଟୁଥିବା ବେଳେ ଏଠାରେ ଥିବା ପାଂଚଟି ପରିବାରଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସଙ୍ଗେ ସଙ୍ଗେ ଏହାର ସୂଚନା କର୍ତୃପକ୍ଷଙ୍କ ନିକଟକୁ ଦିଆଯାଇଥିଲା ।

ଖବର ପାଇବା ମାତ୍ରେ କମିଶନର ପ୍ରେମଚନ୍ଦ୍ରଙ୍କ ତତ୍ପରତା ପ୍ରକାଶ ପାଇଥିଲା ଏବଂ ସେଠାରେ ଥିବା ସମସ୍ତ ବଂଜାରାଙ୍କୁ ଏକ ସ୍ୱତନ୍ତ୍ର ତଥା ସୁରକ୍ଷିତ ସ୍ଥାନକୁ ଆଣି ରଖିବା ଏବଂ ସେମାନଙ୍କୁ କରୋନା ସମ୍ପର୍କୀତ ସୂଚନା ଏବଂ ସାବଧାନତା ଅବଲମ୍ବନ ବାବଦରେ ବୁଝାଇବା ତଥା ଲକ୍ ଡ଼ାଉନ୍ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ନଜର ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହାପରେ ଆରମ୍ଭ ହୋଇଥିଲା ସେହି ବଂଜାରା ମାନଙ୍କୁ କିପରି ବୁଝାଇ ଏକ ସ୍ୱତନ୍ତ୍ର ସ୍ଥାନକୁ ଅଣାଯିବ । ବି.ଏମ୍‌.ସି ତଥା ପୋଲିସ୍ ବିଭାଗ ସହଯୋଗରେ ବାରମ୍ବାର ବୁଝାଇ ଅଣାଯାଇଥିଲା ଏହି ପାଂଚଟି ପରିବାରଙ୍କୁ । ପ୍ରାଥମିକ ଭାବେ କରୋନା ସମ୍ପର୍କୀତ ସାମାଜିକ ଦୂରତା ବାବଦରେ ବୁଝାଇବା ଏବଂ ସ୍ୱତନ୍ତ୍ର ସ୍ଥାନରେ ସରକାରଙ୍କ ନଜରରେ ସୁରକ୍ଷିତ ଭାବେ ରହିବାର ଉପାଦେୟତା ସେମାନଙ୍କୁ କୁହାଯାଇଥିଲା । କିନ୍ତୁ ଏହାକୁ ସହଜରେ ଗ୍ରହଣ କରୁନଥିବା ଉକ୍ତ ଗୋଷ୍ଠୀଙ୍କୁ ବାରମ୍ବାର ଆଶ୍ୱାସନା ଦେବାକୁ ପଡ଼ୁଥିଲା । ଏହା ସାଙ୍ଗକୁ ସେମାନଙ୍କୁ ବିଶ୍ୱାସର ପରିଧି ଭିତରକୁ ଆଣିବା ଏକ କାଠିକର ବ୍ୟାପାର ଥିଲା ।

ସବୁ ମଣିଷର ଅବସ୍ଥା ଏବଂ ଭାବନାକୁ ପାଖରେ ଥିବା ମଣିଷଟି ବୁଝିପାରିଲେ ଏହା ସଫଳତା ଆଣିଥାଏ । ବିଶେଷ କରି କରୋନା ପ୍ରତିରୋଧ ପାଇଁ ଚାଲୁ ରହିଥିବା ଲକ୍ ଡ଼ାଉନ୍ ସମୟରେ ଏହିଭଳି ସରଳ ହୃଦୟଯୁକ୍ତ ବଂଜାରାଙ୍କ ମନ ଜିଣି ତାଙ୍କୁ ନିରାପଦ ରଖିବା କେବଳ ପ୍ରଶାସନର କାର୍ଯ୍ୟ ତାହା ନୁହେଁ ଏଥିରେ ସମସ୍ତଙ୍କର କିଛି କରିବାର ରହିଛି କହିଛନ୍ତି କମିଶନର ।

ଉକ୍ତ ଦଳର ସଦସ୍ୟ ରାଜେଶ୍ୱର ସିସୋଦିଆ କହନ୍ତି; ପ୍ରଥମେ ଆମେ ବୁଝିପାରିନଥିଲୁ ଆମକୁ ବାବୁମାନେ କେଉଁଆଡ଼େ ନେଇଯାଉଛନ୍ତି; ଏବେ ଆମେ ବୁଝିପାରୁଛୁ ସରକାରଙ୍କ ପକ୍ଷରୁ ଆମକୁ ଅନେକ ସୁରକ୍ଷିତ ଭାବେ ରଖାଯାଇଛି ଏବଂ କରୋନା ପ୍ରତିରୋଧ ପାଇଁ ଆମକୁ ସାର୍ ମାନେ ବୁଝାଇଛନ୍ତି । ଆମେ ମଧ୍ୟ ସମସ୍ତଙ୍କ ଭଳି ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ଇତ୍ୟାଦିକୁ ମାନୁଛୁ । ଅନ୍ୟ ଏକ ସଦଦ୍ୟ ବେଦରାମ୍ କହନ୍ତି; ଯଦି ସରକାର ଆମ କଥା ବୁଝିନଥାନ୍ତେ ତେବେ ଆମେ ତିଆରି ଥିବା ଝାଡ଼ୁ ପ୍ରସ୍ତୁତ କରି ବେପାରୀଙ୍କୁ ଦେବା ସମ୍ଭବ ହୋଇନଥାନ୍ତା ଯାହା ଆମର ଏହି ବର୍ଷ ପାଇଁ ଥିବା ରୋଜଗାର ବୁଡ଼ାଇ ଦେଇଥାନ୍ତା । ବି ଏମ୍ ସି ଆମକୁ ଭଲ ବାଟ ଦେଖାଇଛନ୍ତି ।
ତେବେ କରୋନା ପ୍ରତିରୋଧ ନିମନ୍ତେ ଜାରି ରହିଥିବା ଲକ୍ ଡ଼ାଉନ୍ ବେଳେ ଏହିପରି ଅସୁବିଧାରେ ରହିଥିବା ଲୋକମାନଙ୍କୁ ବୁଝାଇ ସୁଝାଇ ଆଣିବା ଏକ ସ୍ୱତନ୍ତ୍ର ପ୍ରୟାସ ଏବଂ ଏଥିରେ ସମସ୍ତଙ୍କ ସହଯୋଗ ରହିଲେ ସଫଳତା ଆସିଥାଏ ବୋଲି କହିଛନ୍ତି ଏହି ବଂଜାରା ମାନଙ୍କ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ବି.ଏମ୍‌.ସି. ର ଡ଼େପୁଟି କମିଶନର ୱେଲ୍‌ଫେୟାର୍ କମଳାକାନ୍ତ ବେହେରା ।