Odia News Portal

ଭିଏସ୍‍ଏସ୍‍ ନଗରରେ ନିଆରା ଉଦ୍ୟମ : ‘ବନ୍ଦେ ଉତ୍କଳ ଜନନୀ’ଗାଇଲେ, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ

ଭୁବନେଶ୍ୱର : ମାତୃଶକ୍ତି ଜଗତର ଶ୍ରେଷ୍ଠ ଶକ୍ତି । ମାତୃଶକ୍ତି ନିକଟରେ ସମସ୍ତ ଅଶୁଭ ଓ ରାକ୍ଷାସ ହାରମାନିଥାଏ । ତେଣୁ ମା’ କୋଳ ସବୁଠୁ ସୁରକ୍ଷିତ ସ୍ଥାନ ବୋଲି ବିବେଚନା କରାଯାଏ । ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ କବଳରେ ଆମଦେଶ ଓ ଉତ୍କଳ ଜନୀ ମଧ୍ୟ ଆକ୍ରାନ୍ତ । ଏହି କରୋନା ରାକ୍ଷସ ନିରୀହ ଜନତାଙ୍କୁ ଗ୍ରାସ କରିଛି । ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯୋଦ୍ଧା ସାଜିଥିବା ପୁଲିସ ବାହିନୀ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନ ଦେବା ସହିତ ସେମାନଙ୍କ ମନୋବଳକୁ ବଢ଼ାଇବା ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଆହ୍ୱାନ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ଭିଏସ୍‍ଏସ୍‍ନଗର ଗଡେଶ୍ୱର ହାଟ ବଣିକ ସଂଘ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି), ଜାଗୃତି ଓ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ମିଳିତ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । କାର୍ଯ୍ୟକ୍ରମରେ ପାଇକ ମହାସଂଘ ସଭାପତି ଅଶୋକ କୁମାର ପାଲଟାସିଂହ ଓ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଗଡେଶ୍ୱର ହାଟ ବଣିକ ସଂଘ ସଭାପତି ଲକ୍ଷ୍ମଣ ସାହୁ ଓ ସମ୍ପାଦକ ମନୋରଞ୍ଜନ ସାହୁ, ବିଏମ୍‍ସି-ଜାଗୃତି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ବରିଷ୍ଠ ନାଗରିକ ଇଂ.ଶିବପ୍ରସାଦ ମିଶ୍ର, ସମାଜସେବୀ ପୁରଞ୍ଜନ ପାଢ଼ୀ ଓ ସମରଞ୍ଜନ ମହାନ୍ତି, ସାମ୍ବାଦିକ ରମାକାନ୍ତ ମହାନନ୍ଦ ଓ ରାଜୀବ ନୟନ ରଥ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ପୁଲିସ, ବିଏମ୍‍ସି-ଜାଗୃତି କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବନ୍ଦାପନା କରି ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଭିଏସ୍‍ଏସ୍‍ ନଗର, ପୋଷ୍ଟାଲ୍‍ କଲୋନୀ, ବାଣୀବିହାର, ଚକେଇସିହାଣି, ସମେଇଗାଡ଼ିଆ, ଗାଡ଼କଣ, ରେଲ୍‍ୱେ କଲୋନୀ, ଲକ୍ଷ୍ମୀବିହାର, ଗଜପତି ନଗର ଆଦି ଅଞ୍ଚଳରୁ ୫୦୦ଶହରୁ ଅଧିକ ଲୋକ ସମାବେଶ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଭିଏସ୍‍ଏସ୍‍ନଗର ଗଡେଶ୍ୱର ହାଟ ବଣିକ ସଂଘ ସଦସ୍ୟ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)-ଜାଗୃତି କର୍ମଚାରୀ ଓ ନିଖିଳ ଓଡ଼ିଶା ପାଇକ ମହାସଂଘ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।