Odia News Portal

ଜୁଲାଇ ୨ରେ ଘରୋଇ ମହିଳା ଶ୍ରମିକ ଘେରିବେ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର : ବାବୁଭାୟାଙ୍କ ଘରେ କାମ କରୁଥିବା ଘରୋଇ ମହିଳା ଶ୍ରମିକ ମାନଙ୍କୁ କୋଭିଡ ସହାୟତା ପ୍ରଦାନ କରିବା, ନୂତନ ପଞ୍ଜିକରଣ ଓ ନବୀକରଣ ଆରମ୍ଭ, ଏହି ବର୍ଗର ସବୁ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା, ଆୟକର ଦେଉନଥିବା ରାଜ୍ୟର ସବୁ ପରିବାରକୁ ମାସିକ ୧୦ ହଜାର ଟଙ୍କାର ସହାୟତା, ଲକ ଡାଉନ ସୁଯୋଗରେ ଲାଗୁ କରିଥିବା ଶ୍ରମିକ ବିରୋଧୀ ସମସ୍ତ ଅଧ୍ୟାଦେଶ ପ୍ରତ୍ୟାହାର ଆଦି ୮ ଦଫା ଦାବିରେ ଆସନ୍ତା ୨ ଜୁଲାଇରେ ଏହି ଶ୍ରମିକମାନେ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଶ୍ରମ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ।

ପ୍ରକାଶଯୋଗ୍ୟ ରାଜ୍ୟରେ ରାଜ୍ୟରେ ଶ୍ରମ ବିଭାଗ ଅଧୀନରେ ଦୁଇଗୋଟି ଶ୍ରମିକ କଲ୍ୟାଣ ବୋର୍ଡ ରହିଛି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ପଞ୍ଜିକୃତ ଶ୍ରମିକଙ୍କୁ କୋଭିଡ ସହାୟତା ପ୍ରଦାନ କରାଯାଇଥିବା ବେଳେ ଲକ ଡାଉନର ୧୦୦ ଦିନ ବିତିଥିଲେ ମଧ୍ୟ ଓଡିଶା ଅଣସଙ୍ଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ପଞ୍ଜିକୃତ ଘରୋଇ ମହିଳା ଶ୍ରମିକଙ୍କ ସମେତ ଜୋତା କାରିଗର, ସଫେଇ କର୍ମଚାରୀ, ଆତ୍ମନିଯୁକ୍ତ ଶ୍ରମିକ, ଅଟୋ ଡ୍ରାଇଭର, ବୁଲାବୁକାଳୀ, ନିଉଜ ପେପର ହକର ଆଦିଙ୍କ ପାଇଁ କୌଣସି ସହାୟତା ଘୋଷଣା କରାଯାଇନାହିଁ। ଘରୋଇ ସହାୟିକାଙ୍କ ସମେତ ଏହି ବର୍ଗର ଶ୍ରମିକମାନେ ୩ ମାସ ଧରି ରୋଜଗାର ହରେଇ ଭୋକ ଉପାସରେ ବହୁ କଷ୍ଟରେ ରହିଛନ୍ତି।

ସବୁଠାରୁ ଅଧିକ ଶୋଷିତ ନିଷ୍ପେସିତ ଅବହେଳିତ ଏହି ଶ୍ରମିକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରାଯାଇନଥିବାରୁ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଘରୋଇ ମହିଳା ଶ୍ରମିକ ୟୁନିୟନର କାର୍ଯ୍ୟକାରୀ କମିଟି ବୈଠକରେ ଗଭୀର କ୍ଷୋଭ ପ୍ରକାଶ ପାଇଥିଲା। ଏଥିସହ ଆସନ୍ତା ୩ ଜୁଲାଇରେ ଦେଶବ୍ୟାପୀ ଅନୁଷ୍ଠିତ ହେଉଥିବା ପ୍ରତିବାଦରେ ଟିୟୁସିଆଇ ଅନୁବନ୍ଧିତ ଘରୋଇ ମହିଳା ଶ୍ରମିକ ୟୁନିୟନ ସାମିଲ ହେବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ୟୁନିୟନର ସଭାନେତ୍ରୀ ପ୍ରମିଳା ବେହେରା, ଉପ ସଭାନେତ୍ରୀ ମିନତି ଭୋଇ ଓ ସମ୍ପାଦିକା ଶଶୀରେଖା ବେହେରା ପ୍ରକାଶ କରିଛନ୍ତି।