ଆଇଟିଆଇରେ ତାଲିମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ଡିଜିଟାଲ୍ ପ୍ଲାଟଫର୍ମରେ କ୍ୟାମ୍ପସ୍ ପ୍ଲେସମେଣ୍ଟରେ ଏହି ଚାକିରି ପାଇ ପାରିଛନ୍ତି । ଆବେଦନପତ୍ର ଦାଖଲଠାରୁ ଆରମ୍ଭ କରି ସାକ୍ଷାତକାର, ସମସ୍ତପ୍ରକାର ଚୟନ ଅନଲାଇନରେ ହୋଇଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି କାମରେ ହସ୍ତକ୍ଷେପ କରିବା ସହ ସମସ୍ତ ମନୋନୀତ ପ୍ରାର୍ଥୀଙ୍କୁ ଚେନ୍ନାଇ ଯିବାକୁ ଅନୁମତି ଦେଇ ବସ୍ ବ୍ୟବସ୍ଥା କରିବା ସହ ସେମାନେ କିପରି ଚାକିରିରେ ଯୋଗଦେବେ ସେ ନେଇ ସମସ୍ତ ସୁବିଧା କରାଇ ଦେଇଥିଲେ ।

ଏନେଇ ବ୍ରହ୍ମପୁର ଆଇଟିଆଇର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ କହିଛନ୍ତି ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ଆବଶ୍ୟକ ଡିଜିଟାଲ୍ ପ୍ଲାଟଫର୍ମର ସେବା ଆମେ ଉପଲବ୍ଧ କରାଇ ଦେଇଥିଲୁ । ପିଲାମାନେ ଘରେ ବସି କିପରି ସାକ୍ଷାତକାର ଦେଇ ପାରିବେ ସେନେଇ ଆମେ ବ୍ୟବସ୍ଥା କରିଥିଲୁ । କରୋନା ଯୋଗୁଁ ଚାରିଆଡ଼େ ଲକଡାଉନ୍ ପରିସ୍ଥିତି ଥିବା ବେଳେ ସବୁଠି କାରଖାନା ବନ୍ଦ ହୋଇଯାଇଥିଲା । ଏଥିପାଇଁ ଅନେକ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଥିଲେ । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ଲୋକେ ଘର ବାହାରକୁ ଯିବାକୁ ଭୟ କରିଥିଲେ । ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେମାନେ ସାକ୍ଷାତକାରରେ ଯୋଗଦେବାକୁ ଉତ୍ସାହିତ ଥିଲେ ।

ଚାକିରିରେ ତାଲିମର ପ୍ରଥମ ବର୍ଷ ପ୍ରତ୍ୟେକ ଆଇଟିଆଇ ଛାତ୍ରଛାତ୍ରୀ ମାସିକ ୧୪ ହଜାର ଟଙ୍କା ପାଇବାକୁ ଥିବା ବେଳେ ରହିବା, ଖାଇବାରେ ସବସିଡି ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ କରାଯିବ । ଏ ବାବଦରେ ଗଞ୍ଜାମ ଜିଲ୍ଲା କହ୍ନେଇପୁର ଅଞ୍ଚଳର କଳ୍ପନା ପରିଡ଼ା କହିଛନ୍ତି ପ୍ରଥମେ ପ୍ରଥମେ ଏଥିପାଇଁ ମୋ ପରିବାର ଲୋକେ ରାଜି ନଥିଲେ । କରୋନା ମହାମାରୀ ବ୍ୟାପିଥିବା ବେଳେ ତାମିଲନାଡୁରେ ଚାକିରି ପାଇଁ ସେମାନେ ରାଜି ହୋଇନଥିଲେ । ମାତ୍ର ଧୀରେ ଧୀରେ ମୁଁ ଏଥିପାଇଁ ସେମାନଙ୍କୁ ମନାଇ ନେଇଥିଲି । ଆଉ ସେମାନଙ୍କୁ କହିଥିଲି ଏହା ମୋ ପାଇଁ ଏକ ସୁଯୋଗ ।

ଡ୍ୟୁଟିରେ ଯୋଗଦେବା ପାଇଁ କ୍ୟାମ୍ପସ୍ ଛାଡ଼ିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ଆମେ କରୋନା ଗାଇଡଲାଇନକୁ ଆଖି ଆଗରେ ରଖି ପାଳନ କରିଛୁ । ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି କମ୍ପାନୀ ବି ଏଥିପାଇଁ ଆମକୁ ନିଦେ୍ର୍ଦଶ ଜାରି କରିଥିବା ବ୍ରହ୍ମପୁର ବଡକୁଶାଷ୍ଠଳି ଅଞ୍ଚଳର ଦିଦି ସେଠୀ କହିଛନ୍ତି । କଲେଜ ଅଧ୍ୟକ୍ଷା କହିଛନ୍ତି ଏହି ଅନୁଷ୍ଠାନର ୪୦୦ ଛାତ୍ରଛାତ୍ରୀ ଡିଜିଟାଲ୍ ପ୍ଲାଟଫର୍ମ ଦ୍ୱାରା ଚାକିରି ପାଇ ପାରିଥିଲେ ।