Odia News Portal

କରୋନାରେ ଖସିଥିବା ନେତା ବନ୍ୟାରେ ଫସିଗଲେ

ଭୁବନେଶ୍ୱର : କରୋନା ସଂକ୍ରମଣ ଭୟରେ ଘରୁ ବାହାରୁ ନଥିଲେ । ଟେଲିଫୋନରେ ଅନେକ କାମ ଚଳାଇ ଦେଉଥିଲେ । ହେଲେ ଏବେ ବନ୍ୟା ସେମାନଙ୍କ ନିଦ ହଜାଇ ଦେଇଛି । ଏବେ ଘରୁ ନବାହାରିଲେ ଲୋକେ ଛାଡିବେନି । ତେଣୁ କିଭଳି
ପରିସ୍ଥିତିର ମୁକାବିଲା କରିବେ ସେହି ଚିନ୍ତାରେ ଏବେ ବନ୍ୟାଞ୍ଚଳ ନେତାଙ୍କ ମୁଣ୍ଡ ଟାଇଁ ଟାଇଁ ହେଲାଣି । କରୋନା ସଂକ୍ରମଣ ସମୟରେ ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ ଶାସକ କିମ୍ବା ବିରୋଧିଙ୍କ ମଧ୍ୟରୁ ଅଧିକାଂଶ ନେତା ସେମାନଙ୍କ ନିକଟରେ ପହଞ୍ଚୁନଥିଲେ । ହାତ ଗଣତି କିଛି ନେତା ମୁହଁରେ ମାସ୍କ ଓ ହାତରେ ସାନିଟାଇଜର ଧରି ପହଞ୍ଚୁଥିଲେ । କାରଣ ସରକାର ସବୁକିଛି ସମ୍ଭାଳି ନେଉଥିଲେ । ମନରେ ସଂକ୍ରମଣର ଭୟ ଥିବାରୁ ବିଭିନ୍ନ ବାହାନା କରି ଖସିଯାଉଥିଲେ । ଏପରିକି କେତେକ ତ ନିଜ ନିଜର ମୋବାଇଲ୍‍କୁ ଅଧିକାଂଶ ସମୟ ବନ୍ଦ କରିଦେଉଥିଲେ ।

ଅବସ୍ଥା ଏଭଳି ହୋଇଥିଲା ଯେ ବେକରେ ଷ୍ଟୋଥୋ ପକାଇ ଭୋଟ ମାଗିଥିବା ଡାକ୍ତରୀ ନେତା ବି କରୋନା ଭୟରେ ଭୋଟରଙ୍କ ଠାରୁ ଦୂରେଇ ରହୁଥିଲେ । ତେବେ କରୋନା ମୁକାବିଲା ସରକାରଙ୍କ ବଡ ସଫଳତା ସେମାନଙ୍କ ବିଫଳତାକୁ ଲୁଚେଇ ଦେଇଥିଲା । ହେଲେ ଏବେ ବନ୍ୟା ସବୁକିଛି ବିଗାଡି ଦେଇଛି । ପାଣି ସୁଅରେ ନେତା ଜନତା ଉଭୟ ପଡିଛନ୍ତି । ଏଭଳି ବିପତ୍ତି ସମୟରେ ଭୋଟରମାନେ ତୋଙ୍କୁ ଖୋଜିଲେଣି । ପିଇବା ପାଣି ଦରକାର, ଖାଦ୍ୟ ଦରକାର ବୋଲି ରଡି ଛାଡିଲେଣି । ନେତା କୁଆଡେ ଗଲେ ବୋଲି ଅନେକ ପ୍ରଶ୍ନ କଲେଣି । ତେଣୁ ଏଭଳି ସମୟରେ ଯଦି ସେମାନଙ୍କ ନିକଟରେ ପହଞ୍ଚି ହେବନାହିଁ ତେବେ କଥା ସରିବ । ସେଥିପାଇଁ କରୋନାରେ ଘରେ ଏକ ପ୍ରକାର ଆତ୍ମଗୋପନ କରିଥିବା ଅନେକ ନେତା ଏବେ ଗୋଡ କାଢିଲେଣି । ବିଶେଷକରି ଜଳ ପ୍ରଳୟ ସାଜିଥିବା ଉପକୂଳ ଓଡିଶାର ନେତାଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ସବୁଠାରୁ ଖରାପ ସ୍ଥିତି ହୋଇଛି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତ୍‍ସିଂହପୁର ଜିଲ୍ଲାରେ । ଆଗାମୀ ଦିନରେ ପୁରୀ ଓ ଖୋରଧା ଜିଲ୍ଲା ସମେତ ଆଉ କିଛି ଜିଲ୍ଲାର ସ୍ଥିତି ବିଗିଡିବ । ତେଣୁ ବର୍ତ୍ତମାନ ଢେର କିଛି ଦିନ ପର୍ଯ୍ୟନ୍ତ ଲୋକଙ୍କୁ ରିଲିଫ ଯୋଗାଇବାକୁ ପଡିବ । ସରକାର ରିଲିଫ ଯୋଗାଇବେ । ତେବେ ଏହା ଯେଭଳି ଲୋକଙ୍କ ନିକଟରେ ଠିକଣା ଭାବେ ପହଞ୍ଚିବ ତାହା ଉପରେ ଯଦି ନେତାମାନେ ନଜର ନରଖିବେ ତେବେ ନିନ୍ଦୁକମାନେ ସେମାନଙ୍କୁ ଛାଡିବେ ନାହିଁ । ବିଶେଷକରି ପ୍ରତିଦ୍ୱନ୍ଦିମାନେ ମଉକା ଦେଖି ଲୋକଙ୍କୁ ମତାଇବାର ଡର ଗୋଡାଇଲାଣି । ତେଣୁ ଯେକୌଣସି ପ୍ରକାରେ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିବାକୁ ନେତାମାନେ ସଜବାଜ ହେଉଥିବାବେଳେ ଏଥିପାଇଁ ସମ୍ବଳ ଯୋଗାଡ ଚିନ୍ତାରେ ଅଛନ୍ତି ।

କାରଣ ପ୍ରାୟ ୬ମାସ ହେଲା ସେମାନେ ଏକ ପ୍ରକାର ନିର୍ବାସନରେ ଥିବାବେଳେ ରୋଜଗାର ତୁଳନାରେ ଢେର ଖର୍ଚ୍ଚ କରିଛନ୍ତି । ଏଭଳି ସ୍ଥିତିରେ ପୁଣି ବନ୍ୟା । ତେଣୁ କିଛି ନେତା ଏବେ ଅନ୍ୟ ନିକଟରେ ହାତ ପାତିବା ଆରମ୍ଭ କରିଥିବାବେଳେ ଆଉ କିଛି ସଞ୍ଚିତ ପୁଞ୍ଜି ଉଠାଇବାର ଯୋଜନା କରୁଛନ୍ତି । ତେଣୁ ତୁଣ୍ଡରେ କିଛି ନକହୁଥିଲେ ବି ଅନେକ ନେତା ଏବେ ମନେ ମନେ ବନ୍ୟାର ଚଉଦ ପୁରୁଷ ଉଝାଳୁଛନ୍ତି । ଜନତା କିନ୍ତୁ କହୁଛନ୍ତି – କରୋନାରେ ଖସିଥିଲେ, ହେଲେ ବନ୍ୟାରେ ଫସିଗଲେ । ଏଭଳି ଫସିଛନ୍ତି ଯେ ସେଥିରୁ ବାହାରିଲା ବେଳକୁ ଅନେକ ପାଣି ପିଇ ଯାଇଥିବେ ।