Odia News Portal

ଖୁସି ଖବର : ଚତୁର୍ଥ ଥର ପାଇଁ ମା’ ହେବ ସିମ୍ପାଞ୍ଜି ‘ପୂର୍ଣ୍ଣିମା’

ଚନ୍ଦକା : ନନ୍ଦନକାନନ ପାଇଁ ଏକ ଖୁସି ଖବର । ଏଠାରେ ରହୁଥିବା ସିମ୍ପାଞ୍ଜି ‘ପୂର୍ଣ୍ଣିମା’ ଚତୁର୍ଥ ଥର ପାଇଁ ମା’ ହେବାକୁ ଯାଉଛି । ପ୍ରାକୃତିକ ପରିବେଶ ଭରା ନନ୍ଦନକାନନ ସିମ୍ପାଞ୍ଜି ବଂଶ ବିସ୍ତାର କ୍ଷେତ୍ରରେ ସବୁ ଚିଡ଼ିଆଖାନାଠାରୁ ଆଗରେ ରହିଛି । ୧୯୬୦ ମସିହା ଡିସେମ୍ବର ୨୯ ତାରିଖ ଦିନ ନନ୍ଦନକାନନ ପ୍ରତିଷ୍ଠା ହେବା ପରେ ଗୋଟିଏ ପରେ ଗୋଟିଏ ପଶୁ ଏଠାକୁ ଆସିଥିଲେ । ହେଲେ ୧୯୯୮ ମସିହାରେ ଏଠାକୁ ପ୍ରଥମେ ସିମ୍ପାଞ୍ଜି ଅଣାଯାଇଥିଲା । ଉକ୍ତ ବର୍ଷ ସିଙ୍ଗାପୁର ଚିଡିଆଖାନାରୁ ‘ଜୁଲୁ’ ନାମକ ଏକ ୪ ବର୍ଷିୟ ଅଣ୍ଡିରା ସିମ୍ପାଞ୍ଜି ଓ ‘ପାମ୍ପେଟା’ ନାମକ ଏକ ୩ ବର୍ଷିୟ ମାଈ ସିମ୍ପାଞ୍ଜି ଏଠାକୁ ଆସିଥିଲେ । ୩ ବର୍ଷ ପରେ ଏମାନଙ୍କ ଔରଷରୁ ପ୍ରଥମ ସନ୍ତାନ ଜନ୍ମ ନେଇଥିଲା । ୨୦୦୧ ଜାନୁଆରୀ ୯ ତାରିଖରେ ଜନ୍ମ ନେଇଥିବା ଏହି ପ୍ରଥମ ସିମ୍ପାଞ୍ଜି ଶାବକ ହେଉଛି ଏଇ ‘ପୂର୍ଣ୍ଣିମା’ । ମା’ ହେବାକୁ ଯାଉଥିବା ପୂର୍ଣ୍ଣିମାକୁ ଏବେ ୧୯ବର୍ଷ ହେବ । ସେବେଠାରୁ ଏମାନଙ୍କ ବଂଶ ବିସ୍ତାର ଦ୍ରୁତ ଗତିରେ ବଢି ଚାଲିଛି ।

ସମୟକ୍ରମେ ‘ପୂର୍ଣ୍ଣିମା’ ଏହା ମଧ୍ୟରେ ୩ ଥର ମା’ ହୋଇସାରିଲାଣି । ଏହା ହେଉଛି ତା’ର ଚତୁର୍ଥ ଗର୍ଭ । ୨୦୦୯ ଅକ୍ଟୋବର ୧୪ରେ ‘ଜୁଲୁ’ ଓ ‘ପୂର୍ଣ୍ଣିମା’ଙ୍କ ମିଳନରୁ କାର୍ତ୍ତିକ ନାମକ ଏକ ଅଣ୍ଡିରା ସିମ୍ପାଞ୍ଜି ଜନ୍ମ ନେଇଥିଲା । ୨ୟ ଗର୍ଭ ସ୍ୱରୂପ ୨୦୧୧ ଅଗଷ୍ଟ ୧୨ରେ ‘ରାଖୀ’ ଜନ୍ମ ନେଲା ଓ ତୃତୀୟ ଗର୍ଭରେ ‘ଲକ୍ଷ୍ମୀ’ ନାମକ ଏକ ସିମ୍ପାଞ୍ଜି ଏଠାରେ ଜନ୍ମ ନେଇଥିଲା । ପୂର୍ଣ୍ଣିମାର ଚତୁର୍ଥ ଗର୍ଭ ନେଇ ବରିଷ୍ଠ ପଶୁ ଚିକିତ୍ସକ ଡାକ୍ତର ଆଲୋକ କୁମାର ଦାସ କୁହନ୍ତି, ଜୁଲାଇ ମାସ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ‘ଜୁଲୁ’ ଓ ‘ପୂର୍ଣ୍ଣିମା’ଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ମିଳନ ପାଇଁ ସୁଯୋଗ ଦିଆଯାଇଥିଲା । ଏହି ଅବଧି ପରେ ‘ପୂର୍ଣ୍ଣିମା’ର ଗର୍ଭଧାରଣ ରିପୋର୍ଟ ପଜିଟିଭ୍‌ ଆସିଥିଲା । ୨୦୨୧ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ‘ପୂର୍ଣ୍ଣିମା’ ଏକ ନବଜାତକୁ ଜନ୍ମଦେବ ବୋଲି ଆକଳନ କରାଯାଇଛି ।

ଏଥିପାଇଁ ତାକୁ ଭିଟାମିନ୍‌- ‘ସି’ ଜାତୀୟ ଖାଦ୍ୟ ଯଥା କମଳା ଜୁସ୍‌, ମୌସୁମୀ ଜୁସ୍‌, ବି କମ୍ପେ୍ଲକ୍ସ, ଶାଗ, କଦଳି, ଅଙ୍ଗୁର ସହିତ ଦିନକୁ ଥରେ ଭାତ ଦିଆଯାଉଛି । ଭାତ ସହିତ ସପ୍ତାହକୁ ଥରେ କିମ୍ବା ଦୁଇଥର ଅଣ୍ଡା ବି ଦିଆଯାଉଛି । ସମସ୍ତ ସୁବ୍ୟବସ୍ଥା ଓ ଲାଳନ ପାଳନ ପାଇଁ ସିମ୍ପାଞ୍ଜି ପାଳକ କେଦାର ପାତ୍ର ବେଶ୍‌ ତତ୍ପର ଅଛନ୍ତି । ସିମ୍ପାଞ୍ଜିମାନେ ସାଧାରଣତଃ ଗର୍ଭଧାରଣର ୨୦୦ରୁ ୨୪୫ଦିନ ମଧ୍ୟରେ ସନ୍ତାନ ଜନ୍ମ ଦେଇଥାନ୍ତି । ପ୍ରାୟତଃ ଏମାନେ ଏକାଥରରେ ଗୋଟିଏ ସନ୍ତାନ ହିଁ ଜନ୍ମ ଦେଇଥାନ୍ତି । ଏବେ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୬ଟି ରହିଛି । ସେମାନଙ୍କ ମଧ୍ୟରୁ ୧ ଅଣ୍ଡିରା ଓ ୫ ମାଈ ରହିଛନ୍ତି ।