Odia News Portal

ମୋବାଇଲ ଚୋରି ସନ୍ଦେହ : ଯୁବକଙ୍କୁ ଦଉଡିରେ ବାନ୍ଧି ରାସ୍ତାରେ ଚଲାଇଲେ

ଭଦ୍ରକ : ସାଙ୍ଗରେ ମାଛ ଧରୁଥିଲେ । ମୋବାଇଲ ଓ ଟଙ୍କା ରାସ୍ତା ଉପରେ ରଖିଥିଲେ । କିଛି ସମୟ ପରେ ଦେଖିବା ବେଳକୁ ମୋବାଇଲ ନାହିଁ କି ଟଙ୍କା ନାହିଁ । ଏମିତିକି ପାଖରେ ଥିବା ଲୋକ ମଧ୍ୟ ନାହିଁ । ମୋବାଇଲ ମାଲିକ ଖୋଜି ଖୋଜି ସେହି ଲୋକକୁ ଧରିଲେ । ମୋବାଇଲ ଓ ଟଙ୍କା ମାଗିଲେ । କିନ୍ତୁ ଟଙ୍କା ଓ ମୋବାଇଲ ସେ ନେଇନଥିବା କହିବା ପରେ ତାଙ୍କ ହାତକୁ ଦଉଡିରେ ବାନ୍ଧି ବଜାରରେ ଟାଣି ଟାଣି ନେଇଥିଲା ଲୋକମାନେ ।

ଏହି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅନ୍ତର୍ଗତ ବେତାଳିଗାଁ ବଜାରର । ତେବେ ଦଉଡିରେ ବନ୍ଧା ହୋଇଥିବା ବ୍ୟକ୍ତିଙ୍କୁ ଟାଣି ଟାଣି ନେଉଥିବା ବ୍ୟକ୍ତିଙ୍କ ଅଭିଯୋଗ ହେଉଛି ଯେ, ବନ୍ଧା ହୋଇଥିବା ବ୍ୟକ୍ତି ତାଙ୍କ ମୋବାଇଲ ଓ ଟଙ୍କା ଚୋରି କରିଛନ୍ତି । ବନ୍ଧା ହୋଇଥିବା ଅବସ୍ଥାରେ ଯୁବକ ଜଣକ ବଜାର ସାରା ବୁଲିଥିଲେ । ପରେ ବହୁ ଲୋକ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କିଛି ସମୟ ପରେ ଦୁଇଜଣ ବଜାରରୁ କୁଆଡ଼େ ପଳାଇଯାଇଥିଲେ।