Odia News Portal

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ୧୨ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଲଘୁଚାପ ଯିବା ପରେ ବର୍ଷା କମିଯାଇଛି। ପ୍ରାୟତଃ ଅଧିକାଂଶ ଅଞ୍ଚଳ ଶୁଖିଲା ପଡ଼ିଛି। ତେବେ ରବିବାରଠାରୁ ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ବଢ଼ିପାରେ। ଲଗାଣ ବର୍ଷା ନ ହେଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୬ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ।

ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ଉତ୍ତର ଛତିଶଗଡ଼ ଏବଂ ଦକ୍ଷିଣ ଛତିଶଗଡ଼ ଉପରେ ପୃଥକ ପୃଥକ ଘୂର୍ଣ୍ଣିବଳୟ ରହିଛି। ଉତ୍ତର ଓଡ଼ିଶାରୁ ବିହାର ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ବି ଅଛି। ଏହା ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି କେତେକ ଅଞ୍ଚଳରେ।

ଆଜି ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ରବିବାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷ କରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ରହିଛି।

ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ, କନ୍ଧମାଳ, ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମଙ୍ଗଳବାର ମଧ୍ୟ ଉପକୂଳ ସହ କେନ୍ଦ୍ରୀୟ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ଏ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଭିନ୍ନ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।