Odia News Portal

୫-ଟିକୁ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

 

ସବୁ ପୌରାଞ୍ଚଳରେ ଖୋଲିଲା ୱାର୍ଡ ଅଫିସ,
ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧୦ ଟଙ୍କାର ସହାୟତା ପ୍ରଦାନ,
୪୮ ଘଣ୍ଟାରେ ବଲଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥା,

ଭୁବନେଶ୍ବର : ସ୍ବାୟତ୍ତ ଶାସନ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ସମସ୍ତ ୱାର୍ଡରେ ୱାର୍ଡ ଅଫିସ ଖୋଲିବା ସହତ ରାଜ୍ୟର ସହରାଞ୍ଚଳର ସମସ୍ତ ୨୦୩୫ ୱାର୍ଡରେ ୱାର୍ଡ ଅଫିସ ଖୋଲିବା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏଥିସହିତ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର, ବିଡିଏରେ ଅନ ଲାଇନ ବିଲଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥା, ଅନ ଲାଇନ ବିବାହ ପ୍ରମାଣପତ୍ର ପ୍ରଦାନ ଆଦି ବ୍ୟବସ୍ଥା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମଧ୍ୟ ଅନ ଲାଇନ ଜରିଆରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ଅବସରରେ ବିଭାଗୀୟ ଅଧିକାରୀ ଓ ଭିଡିଓ କନଫରେନସିଂରେ ପୁରୀ, ବ୍ରହ୍ମପୁର ଓ ଭୁବନେଶ୍ବର ସହିଦ ନଗରରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । ଆଜି ସାରା ରାଜ୍ୟର ବିଭିନ୍ନ ପୌର ସଂସ୍ଥା ପାିଁ ଅନେକ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ଆଜି ଭୁବନେଶ୍ବର ମୁନିସିପାଲ କର୍ପୋରେସନ ପକ୍ଷରୁ ସବୁ ୱାର୍ଡରେ ୱାର୍ଡ ଅଫିସ ଖୋଲାଗଲା । ତା ସହିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା, କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର କାମ ଆରମ୍ଭ କରାଗଲା । ସେହିପରି ଫନି ବାତ୍ୟାରେ କ୍ଷତିଗ୍ରସ୍ତ ପୁରୀର କ୍ଷୁଦ୍ର ବେପାରୀଙ୍କୁ ୧୦ ହଜାର ଟଙ୍କା ଅନଲାଇନ ଜରିଆରେ ପ୍ରଦାନ କରାଗଲା ।

ଆଜି ଭୁବନେଶ୍ବର ପାଇଁ ଫାଷ୍ଟ ଟ୍ରାକ ବିଲଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥା ଆରମ୍ଭ ହେଲା । ଏସବୁ କାମରେ ୫-ଟି ମନ୍ତ୍ରର ଉପଯୋଗ ଭଲ ଭାବରେ କରାଯାଇଛି । ନଗର ଉନ୍ନୟନ ବିଭାଗ ଏକ ମାସ ମଧ୍ୟରେ ଏଥିପାଇଁ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରାଞ୍ଚଳକୁ ଆବର୍ଜନା ମୁକ୍ତ ସହର କରିବା ପାଇଁ ଲକ୍ଷ ରଖାଯାଇଛି । ତା ସହିତ ଏହି କାର୍ଯ୍ୟକ୍ରମରେ ମାମାନଙ୍କୁ ସାମିଲ କରିବା ଏକ ଭଲ ଉଦ୍ୟମ ବୋଲି ସେ କହିଥିଲେ । ଉତ୍ତମ ନାଗରିକ ସେବା, ସ୍ବାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ । ଆଜିକାଲି ସହରାଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ପରିଚାଳନା ଏକ ଆହ୍ବାନ ହୋଇଛି । କିନ୍ତୁ ଯଦି ଆମେ ଜନସାଧାରଣଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମର କେନ୍ଦ୍ରେ ରଖି କାର୍ଯ୍ୟ କରିବା ଓ ୫-ଟିର ନୀତିକୁ ଅନୁସରଣ କରିବା, ତେବେ ସାଧାରଣ ଲୋକେ ଚାହୁଁଥିବା ପରିବର୍ତ୍ତନକୁ ଆମେ ନିଶ୍ଚିତ ବାବେ ହାସଲ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର ୧୧୪ଟି ପୌରସଂସ୍ଥାରେ ୩୪୨ଟି କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର କରାଯିବା ସହିତ ୨୬ଟି ପୌରସଂସ୍ଥାରେ ୭୦ କୋଟି ଟଙ୍କା ବ୍ୟୟରେ ୪୦ଟି ମଳପଙ୍କ ବିଶୋଧନ ବ୍ୟବସ୍ଥା ପାଇଁ ଶିଳାନ୍ୟାସ କରାଗଲା । ଏହାଦ୍ବାରା ଦୈନିକ ୪ ଲକ୍ଷ ଲିଟର ମଳପଙ୍କ ବିଶୋଧିତ ହୋଇପାରିବ ଏବଂ ୮ ଲକ୍ଷ ଲୋକ ଉପକାର ପାଇପାରିବେ । ସେହିପରି ଫନି ବାତ୍ୟା ସମୟରେ ପୁରୀର ୪୧୦ଜଣ ରାସ୍ତାକଡ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ 1369ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।

ଭୁବନେଶ୍ବରରେ ଛୋଟ ଛୋଟ ଘର ନିର୍ମାଣ କରିବାକୁ ଚାହୁଁଥିବା ନାଗରିକଙ୍କୁ ୪୮ ଘଣ୍ଟାରେ ବିଲଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଜଣଙ୍କୁ ବଲଡିଂ ପ୍ଲାନ ଅନୁମୋଦନ ପତ୍ର ପ୍ରଦାନ କରିଛନ୍ତି । ଏହି ବ୍ୟବସ୍ଥା ଦ୍ବାରା ଭୁବନେଶ୍ବରର ନାଗରିକମାନେ ୧୦୦ଟି ପୂର୍ବ ଅନୁମୋଦିତ ନକ୍ସାକୁ ଭତ୍ତିକରି ଆବେଦନ କରିପାରିବେ । ଏହି ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସବୁ ସହରରେ କାର୍ଯ୍ୟକାରୀ ହେବ । ସେହିପରି ସହିଦନଗର ୱାର୍ଡ ଅଫିସରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜଣେ ହିତଧିକାରୀଙ୍କୁ ଅନ ଲାଇନ ବିବାହ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଲୋକସଭା ଭବନରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିବା ବେଳେ ଭୁବନେଶ୍ବରର ସହିଦ ନଗରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ଉତ୍ତର ଓ ମଧ୍ୟ ବିଧାୟକ, ପୁରୀରେ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ ।