Odia News Portal

ପ୍ରରୋଚନକାରୀ ହେବେ ତଦନ୍ତ ପରିସରଭୁକ୍ତ: ଡିସିପି

ଭୁବନେଶ୍ୱର: ଆଜି ବିଧାନସଭା ନିକଟରେ ହୋଇଥିବା ଆତ୍ମଦାହ ଉଦ୍ୟମ ଘଟଣାରେ ଭୁବନେଶ୍ୱର ଡିସିପି ପ୍ରତିକ୍ରିୟାରେ କହିଛନ୍ତି, ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର। ଏହା ଆଗରେ ଆତ୍ମଦାହ ଉଦ୍ୟମ କରିବା କୌଣସି ଅପରାଧଠୁ କମ୍‌ ନୁହେଁ। ତେଣୁ ଯିଏ ଏପରି ଉଦ୍ୟମ କରିବ ତଥା ପ୍ରରୋଚନା ଦେବ ବନ୍ଧା ହେବ। ଏହାକୁ ଏକ ଅପରାଧିକ କାର୍ଯ୍ୟ ବୋଲି ବିବେଚନା କରାଯାଇ ସେହି ହିସାବରେ ପୋଲିସ୍‌ ପଦକ୍ଷେପ ନେବ। ଅଭିଯୋଗ ଥିଲେ ଠିକ୍‌ ଜାଗାରେ ଜଣାନ୍ତୁ, ଏପରି ପଦକ୍ଷେପ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଭୁବନେଶ୍ୱର ଡିସିପି କହିଛନ୍ତି, ବିଧାନସଭା ସାମ୍ନାରେ ୨ ଦିନରେ ୩ ଜଣଙ୍କ ଆତ୍ମାହୁତି ଉଦ୍ୟମ କରି ସାରିଲେଣି। ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଥିବା କହିଲେ ଭୁବନେଶ୍ୱର ଡିସିପି। ତେବେ ସେମାନଙ୍କ ପଛରେ କିଛି ଲୋକ ଥିବା ସନ୍ଦେହ କରୁଛୁ । ତାଙ୍କୁ କିଏ ଆଣିଲା, ଫଟୋ ଏବଂ ଭିଡିଓ ସୁଟ୍ କଲା ତାହାର ତଦନ୍ତ କରାଯିବ। ଏଭଳି କରିବା ପାଇଁ ଯିଏ ପ୍ରରୋଚିତ କରିଛି,ସେମାନେ ତଦନ୍ତ ପରିସର ଭୁକ୍ତ ହେବେ। ଆମେ ଭାବୁଛୁ ସେମାନଙ୍କ ପଛରେ ଆଉ କିଛି ଲୋକ ସାମିଲ ରହିଛନ୍ତି। ଏଭଳି କଲେ ମାମଲାର ସମାଧାନ ହୋଇଯିବ ବୋଲି କିଛି ଲୋକ ପ୍ରତିଶ୍ରୁତି ଦେଉଛନ୍ତି। ସେଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରରୋଚନା ଦେଉଥିବା ଲୋକଙ୍କୁ ଖୋଜାଯିବ। ଆତ୍ମାହୁତି ଉଦ୍ୟମ ଏକ ଅପରାଧିକ କାର୍ଯ୍ୟ । ସେ ହିସାବରେ ପୋଲିସ୍‌ ଟ୍ରିଟ୍ କରିବ।