Odia News Portal

ବଡ଼ ଷ୍ଟାଡିୟମରେ ବଡ଼ ବିଜୟ

ଅହମ୍ମଦାବାଦ : ଅହମ୍ମଦାବାଦରେ ନବନିର୍ମିତ ନରେନ୍ଦ୍ର ମୋଦି, ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମାତ୍ର ଦୁଇ ଦିନରେ ସରିଛି । ଅକ୍ଷର ପଟେଲ ଓ ଆର . ଅଶ୍ୱିନଙ୍କ ଝଡ଼ରେ ଭ୍ରମଣକାରୀ ଇଂଲଣ୍ଡ ଦୋହଲିଗଲା । ଯାହାଫଳରେ ଭାରତ ନିକଟରେ ଆତ୍ମସମର୍ପଣ ଛଡା ବିକଳ୍ପ ପନ୍ଥା ନଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସ ମାତ୍ର 81 ରନରେ ସୀମିତ ରହିବା ପରେ ଭାରତକୁ ଏକ ଛୋଟ ଟାର୍ଗେଟ ମିଳିଥିଲା। ଯାହାକୁ ଭାରତ କୌଣସି ଓ୍ୱିକେଟ ନ ହରାଇ ପୂରଣ କରିଛି । ଫଳରେ 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ 2-1ରେ ଅଗ୍ରଣୀ ହାସଲ କରିଛି । ଚତୁର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ ଅହମ୍ମଦାବାଦରେ ମାର୍ଚ୍ଚ 4ରୁ ଆରମ୍ଭ ହେବ।

ଅକ୍ଷର ପଟେଲ ଓ ଅଶ୍ୱିନଙ୍କ ସ୍ପିନ୍ ଅାଟାକ୍ ପୁଣିଥରେ ଇଂଲିଶ ଟିମ୍ ପାଇଁ କାଳ ହୋଇଥିଲା ଦ୍ୱିତୀୟ ଇନିଂସରେ ମଧ୍ୟ ଏହି ଦୁଇ ସ୍ପିନରଙ୍କ ଆଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଆତ୍ମସମର୍ପଣ କରିଥିଲେ ଏବଂ ମାତ୍ର 81 ରନରେ ଅଲଅାଉଟ୍ ହୋଇଥିଲେ । ଯାହା ଫଳରେ ଭାରତକୁ ମାତ୍ର 49 ରନର ଟାର୍ଗେଟ୍ ମିଳିଥିଲା । ଏହି ଛୋଟିଆ ଲକ୍ଷ୍ୟକୁ ଭାରତ ମାତ୍ର 7.4 ଓଭରରେ ବିନା ଓ୍ୱିକେଟ୍ ହରାଇ ହାସଲ କରିନେଇଛି । ଦୁଇ ଓପନର ରୋହିତ ଓ ଶୁବମନ୍ କୌଣସି ଭୁଲ୍ ନକରି ଶେଷ ପର୍ଯ୍ୟନ୍ତ କ୍ରିଜରେ ଅପରାଜିତ ଥିଲେ । ରୋହିତ୍ 25 ବଲରେ 3 ଚୌକା ଓ 1 ଛକା ସହ 25 ଏବଂ ଗିଲ୍ 21 ବଲରେ 1 ଚୌକା ଓ 1 ଛକା ସହ 15 ରନ୍ କରି ଅପରାଜିତ ଥିଲେ ।

ପୂର୍ବରୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଘାତକ ସ୍ପିନ୍ ବଳରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଦ୍ୱିତୀୟ ଇନିଂସରେ ମାତ୍ର 81 ରନରେ ଅଲଆଉଟ୍ କରିଥିଲା । ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଏହି କଠିନ ପିଚରେ ତିଷ୍ଠିପାରିନଥିଲେ। ଦଳ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ 25 ରନ୍ କରିଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ 19, ଓଲି ପୋପ୍ 12 ରନ୍ କରିଥିଲେ । ତେବେ ଡମ୍ ସିବଲେ (7), ଜ୍ୟାକ୍ କ୍ରଲୀ (0), ଜନ୍ନି ବେୟାରଷ୍ଟୋ (0), ବେନ୍ ଫୋକ୍ସ (8), ଜୋଫ୍ରା ଆଚର୍ର୍ (0), ଜ୍ୟାକ୍ ଲିଚ୍ (9) ଓ ଜେମ୍ସ ଆଣ୍ଡରସନ୍ (0) ଦୁଇ ଅଙ୍କ ଛୁଇଁପାରିନଥିଲେ। ଷ୍ଟୁଆର୍ଟ ବ୍ରଡ୍ 1 ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ପୁଣିଥରେ କମାଲ୍ କରିଛନ୍ତି । ସେ 32 ରନ୍ ଦେଇ 5ଟି ଓ ଅଶ୍ୱିନ୍ 48 ରନ୍ ଦେଇ 4ଟି ସଫଳତା ପାଇଛନ୍ତି ଓ୍ୱାଶିଂଟନ୍ ସୁନ୍ଦର ଗୋଟିଏ ଓ୍ୱିକେଟ୍ ନେଇଛନ୍ତି ।

ଦ୍ୱିତୀୟ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର 99/3ରୁ ଖେଳ ଆରମ୍ଭ କରିଥିଲା ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ରୋହିତ୍ ଓ ଅଜିଙ୍କ୍ୟ ରାହାଣେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ । କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ଖରାପ ଶଟ୍ ଖେଳି ନିଜ ନିଜର ଓ୍ୱିକେଟ ହରାଇ ବସିଥିଲେ । ଟିମ୍ ର 114 ଥିବା ବେଳେ ରାହାଣେ(7)ଙ୍କୁ ଲିଚ୍ ଏଲବିଡବ୍ଲ୍ଯୁ ଆଉଟ୍ କରିଥିଲେ । ଲିଚ୍ ନିଜର ପରବ ୀର୍ ଓଭରରେ ସେଟ୍ ବ୍ୟାଟ୍ସମ୍ୟାନ୍ ରୋହିତଙ୍କ ମଧ୍ୟ ଏଲବିଡବ୍ଲ୍ଯୁ କରି ଭାରତର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରୋହିତ 96 ବଲରେ 11 ଚୌକା ସହ 66 ରନ କରିଥିଲେ ।

ରୋହିତଙ୍କ ଆଉଟ୍ ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ୱିକେଟ୍ ହରାଇ ବସିଥିଲା । ବାମହାତୀ ବ୍ୟାଟ୍ସମ୍ୟାନ୍ ଅର୍ଥାତ ଋଷଭ ପନ୍ତ କ୍ରିଜକୁ ଆସିବା ପରେ ରୁଟ୍ ନିଜେ ବୋଲିଂ କରିବାକୁ ଆସିଥିଲେ। କାମଚଳା ସ୍ପିନର୍ ରୁଟ୍ ଅବିଶ୍ୱସନୀୟ ବୋଲିଂ କରି ଭାରତର ଲୋୟର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଦୌ ସେଟ୍ ହେବାକୁ ଦେଇନଥିଲେ । ଦ୍ୱିତୀୟ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ପନ୍ତ ମାତ୍ର 1 ରନ୍ କରି ରୁଟର ଶିକାର ହୋଇଥିଲେ । ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଓ୍ୱାଶିଂଟନ୍ ସୁନ୍ଦରଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ରୁଟ୍ ।

ଅନ୍ୟତମ ବାମହାତୀ ବ୍ୟାଟ୍ସମ୍ୟାନ୍ ଅକ୍ଷର ପଟେଲ୍ (0) ରୁଟଙ୍କ ସ୍ପୀନ୍ ଆଗରେ ତିଷ୍ଠି ପାରିନଥିଲେ । ଅଶ୍ୱିନ୍ କିଛି ସମୟ କ୍ରିଜରେ ରହି ଭାରତକୁ ଭଲ ଲିଡ୍ ଦେବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ତାଙ୍କୁ ମଧ୍ୟ ଆଉଟ୍ କରି ରୁଟ୍ ଭାରତର ନବମ ଓ୍ୱିକେଟ୍ ପତନ କରିଥିଲେ । ଅଶ୍ୱିନ୍ 17 ରନ୍ କରି ଆଉଟ୍ ହୋଇଥିଲେ ଶେଷ ଓ୍ୱିକେଟ୍ ଭାବେ ଯଶପ୍ରୀତ ବୁମରା 1 ରନ୍ କରି ରୁଟଙ୍କ ବଲରେ ଏଲବିଡବ୍ଲ୍ଯୁ ହୋଇଥିଲେ । ଈଶାନ୍ତ ଶର୍ମା 10 ରନ୍ କରି ଅପରାଜିତ ଥିଲେ । ଇଂଲଣ୍ଡ ପକ୍ଷରୁ ରୁଟ୍ ମାତ୍ର 8 ରନ୍ ଦେଇ 5ଟି ଓ ଲିଚ୍ 54 ରନ୍ ଦେଇ 4ଟି ଓ୍ୱିକେଟ୍ ନେଇଥିଲେ ପ୍ରଥମ ଇନିଂସରେ ଇଂଲଣ୍ଡ ମାତ୍ର 112 ରନ୍ କରି ଅଲଆଉଟ ହୋଇଯାଇଥିଲା ।