Odia News Portal

ବିଜେଡି ପ୍ରାର୍ଥୀ ଘୋଷଣା ପରେ ଅଠାକାଠିରେ ବିଜେପି : ଗୋଟିଏ ଆସନ ହାତେଇବା ଆଶା ପାଣିଫୋଟକା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ବିଜେପି ଏକ ପ୍ରକାର ଅଠାକାଠିରେ ପଡିଯାଇଛି । ବିଜେଡିକୁ ମନାଇ ଅତି କମ୍‍ରେ ଗୋଟିଏ ଆସନ ବିଜେପି ହାତେଇବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ପାଣିଫୋଟକା ପ୍ରାୟ ହୋଇଯାଇଛି । କାରଣ ଏବେ ବିଜେଡି ତାହାର ଚତୁର୍ଥ ପ୍ରାର୍ଥୀଙ୍କୁ ଜିଣାଇବାପାଇଁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ୨୩ଟି ବିଧାୟକଙ୍କୁ ନେଇ ବିଜେପି ତାହାର ପ୍ରାର୍ଥୀ ଦେବା ଓ ଜିଣାଇବା ଏତେ ସହଜ ହେବନାହିଁ । ପ୍ରାର୍ଥୀ ଘୋଷଣା ପୂର୍ବରୁ ବିଜେପି ପୂର୍ବଥର ଭଳି ଅତି କମ୍‍ରେ ଗୋଟିଏ ଆସନ ହାତେଇବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ବିଶେଷକରି ଅମିତ ଶାହାଙ୍କ ଓଡିଶା ଗସ୍ତ ଓ ନବୀନ ନିବାସରେ ଅମିତ-ଧର୍ମେନ୍ଦ୍ରଙ୍କ ମଧ୍ୟାହ୍ନଭୋଜନ ପରେ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ମିଳିଥିଲା । ତେଣୁ ବିଜେଡିର ୩ ଓ ବିଜେପିର ଜଣେ ପ୍ରାର୍ଥୀଙ୍କୁ ନେଇ ଗଣମାଧ୍ୟମରେ ଗୁଡିଉଡା ଚାଲିଥିଲା । କିନ୍ତୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

 

ରାଜ୍ୟସଭା ପାଇଁ ବଜେଡିର ୪ଜଣିଆ ପ୍ରାର୍ଥୀ ତାଲିକା ଘୋଷଣାକ କରିଛନ୍ତି । ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେଡିର ଅଛନ୍ତି ୧୧୩ ଜଣ । ତଦନୁଯାୟୀ ବିଜେଡି ପ୍ରଥମ ପସନ୍ଦର ଭୋଟରେ ଅତି ସହଜରେ ୩ଜଣ ପ୍ରାର୍ଥୀଙ୍କୁ ଜିଣାଇଦେବ । ହେଲେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନଦେଲେ ବିଜେଡି ପ୍ରାର୍ଥୀଙ୍କ ଦ୍ୱିତୀୟ ପସନ୍ଦ ଭୋଟରେ ଚତୁର୍ଥ ପ୍ରାର୍ଥୀ ଜିଣିଯିବେ । କିନ୍ତୁ ସୂଚନା ଅନୁଯାୟୀ ବିଜେପି ତାହାର ବିଧାୟକମାନଙ୍କ ନିକଟରୁ ୪ସେଟ୍‍ କରି ପ୍ରାର୍ଥୀପତ୍ରରେ ଦସ୍ତଖତ କରି ରଖିଛି । ଏବେ କେବଳ ଅପେକ୍ଷା ଦଳ ପ୍ରାର୍ଥୀ ଘୋଷଣା କରୁଛି କି ନାହିଁ । ଯଦି ପ୍ରାର୍ଥୀ ଘୋଷଣା କରିବ ତେବେ କଂଗ୍ରେସର ଆଭିମୁଖ୍ୟ ଉପରେ ନଜର ରହିବ । ଇତି ମଧ୍ୟରେ ଏକମାତ୍ର ସିପିଏମ୍‍ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନରୁ ଦୂରେଇ ରହିବା ଘୋଷଣା କରିଥିବାବେଳେ ଜଣେ ସ୍ୱାଧୀନ ବିଧାୟକ ବିଜେଡି ସପକ୍ଷରେ ମତଦେବା ଏକ ପ୍ରକାର ନିଶ୍ଚିତ । ଏଭଳି ସ୍ଥିତିରେ ବିଜେପି ପ୍ରାର୍ଥୀଙ୍କୁ କେତେଦୂର କଂଗ୍ରେସ ଭୋଟ ଦେବ ତାହାକୁ ଅନେକ ହଜମ କରିପାରୁ ନାହାନ୍ତି । କାରଣ ଜାତୀୟ ସ୍ତରରେ ଏପରିକି ସଂସଦ ଭିତରେ ଓ ବାହାରେ ବିଜେପି ଓ କଂଗ୍ରେସ ଯେଭଳି ପରସ୍ପର ମଧ୍ୟରେ ଲଢୁଛନ୍ତି ସେଥିରେ କଂଗ୍ରେସ ବିଧାୟକମାନେ ବିଜେପିକୁ ଭୋଟ ଦେବାର ସମ୍ଭାବନୀ କ୍ଷୀଣ । ଏହାକୁ କଂଗ୍ରେସର ଦିଲ୍ଲୀ ଦରବାର ଅନୁମତି ଦେବନାହିଁ ।

 

କଂଗ୍ରେସ ଯଦି ମତଦାନରୁ ବିରତ ରୁହେ ତେବେ ବିଜେପି ତାହାର ପ୍ରାର୍ଥୀଙ୍କୁ ଏକୁଟିଆ ଜିଣାଇ ପାରିବନାହିଁ । ତେଣୁ ଯାହା ଜଣାପଡୁଛି ବିଜେପି ନେତାମାନେ ପୂର୍ବଥର ଭଳି ଗୋଟିଏ ଆସନ ହାତେଇବାପାଇଁ ଯେଉଁ ଗୋଟି ଚାଳନା କରିଥିଲେ ସେଥିରେ ପୂର୍ଣ୍ଣଛେଦ ପଡିଛି । ଅନ୍ୟ ପକ୍ଷରେ ଅନ୍ୟ ରାଜ୍ୟଭଳି ଓଡିଶାରେ ଘୋଡା ବେପାର ସମ୍ଭାବନା ନଥିବାରୁ ବିଜେପି ପ୍ରାର୍ଥୀ ଦେଇନପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ
ଆକଳନ କରୁଛନ୍ତି ।