Odia News Portal

ବିଜେଡ଼ି ବିଜେପି ମୁହାଁ-ମୁହିଁ

ଭୁବନେଶ୍ୱର: ଧାନ ପ୍ରସଙ୍ଗରେ କେନ୍ଦ୍ରର ଚିଠି ଉପରେ ଜବାବ ରଖିଲା ବିଜେଡି । ଧାନ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ଧାନ ବିକା ବାବଦକୁ ୨୮୫୦ କୋଟି ଦେଇନାହିଁ କେନ୍ଦ୍ର । ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି ବୋଲି ବିଜେଡି କହିଛି । ତେବେ ବଳକା ଉଷୁନା ଚାଉଳ କିଣିବାକୁ ମନା କରୁଛି କେନ୍ଦ୍ର ।

ପାରା ବଏଲ୍ଡ ରାଇସ୍ ଖରିଫ ଋତୁରେ ୫୦% ଓ ରବି ଋତୁରେ ନକିଣିବାକୁ କେନ୍ଦ୍ରର ରାଜ୍ୟକୁ ଚିଠି ଲେଖିବା ପରେ ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ଦଳ । ଚାଉଳ ନଉଠାଇବାକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଏଫସିଆଇ ଚାଉଳ ନଉଠାଇଲେ ଓଡ଼ିଶା ଉପରେ ବୋଝ ପଡ଼ିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରତିବାଦ କରିଛି । ଯଦି ଏଫସିଆଇ ଚାଉଳ ନଉଠା ଯାଏ ତେବେ ଓଡ଼ିଶା ଉପରେ ୧୦ହଜାର କୋଟିର ବୋଝ ପଡ଼ିବ । ଚଳିତବର୍ଷ ୩୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଆଉ ୩୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ । ବଳକା ଚାଉଳ କିଣିବାକୁ କେନ୍ଦ୍ର ସରକାର ମନା କରୁଥିବାରୁ ଏହା ଓଡ଼ିଶା ଉପରେ ବୋଝ ହେବ ବୋଲି କହିବା ସହ କରୋନା ବେଳେ ଏହା କଟା ଘା’ରେ ଚୂନ ସଦୃଶ ବୋଲି କହିଛି ଦଳ ।

ସେପ୍ଟେମ୍ବର ୨୦୨୦ ସୁଦ୍ଧା  ୨୮ ଶହ ୫୦କୋଟି  ମିଳିବା କଥା । କିନ୍ତୁ ଏ ଯାଏଁ ଦେଇନି କେନ୍ଦ୍ର ।  ମୋଟ ବକେୟା ୬ ହଜାର ୫ଶହ ୫୦ କୋଟି ରହିଛି । ବିଜେପି ଲୋକଙ୍କୁ ଭୁଆଁ ବୁଲାଉଛି । ଚାଷୀଙ୍କ ପାଇଁ କିଛି କରିବାର ଅଛି ତେବେ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ହେଉ ବୋଲି ଦାବି କରିଛି ବିଜେଡି । ଧାନର ଏମଏସପି ବାବଦକୁ ୨୯୩୦ଟଙ୍କା ଦାବି କରିଥିଲା ଦଳ । କିନ୍ତୁ ତାହା ଲାଗୁ ନକରି ରାଜ୍ୟ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନକାନ୍ଦି କେନ୍ଦ୍ରକୁ ବୁଝାଉ ବୋଲି କହିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନି ଛୁରିଆ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ନେଇ ବିଚଳିତ ଅଛି ବିଜେପି । ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିଜେଡି କହିଛି ।

ଅନ୍ୟପକ୍ଷେ , ବିଜେଡ଼ିକୁ କଡ଼ା ଜବାବ ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି-“କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଧାନ କିଣାକୁ ନେଇ ବିଜେଡି ଆଜି କରିଥିବା ସାମ୍ୱାଦିକ ସମ୍ମିଳନୀରେ ୩ ବିଜେଡି ନେତା ୩ ପ୍ରକାର କଥା କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚାଷୀଙ୍କ କଥା କହୁଥିବା ବିଜେଡି ନେତାମାନେ ଧାନ କିଣିବା ବିଷୟରେ ନକହି ଚାଉଳ ସମ୍ପର୍କରେ କହିଲେ। ତେବେ ଏଠି କହିରଖେ ଚାଷୀ ଚାଉଳ ବିକେନାହିଁ, ଧାନ ବିକେ। ଆଉ ଚାଉଳ ବିକ୍ରିକରେ ମିଲର। ଏଥିରୁ ଜଣାପଡ଼ୁଛି ବିଜେଡି ନେତା ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରିବାକୁ ଆସିଥିଲେ।”

ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଚାଷୀଙ୍କର ବହୁ ସମସ୍ୟା ରହିଛି। କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦ୍ୱି’ଗୁଣିତ କରିବା ଓ ଧାନ କିଣିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପଇସା ଦେଇଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର ଅଧିକରୁ ଅଧିକ ମଣ୍ଡି ଖୋଲି ପାରିଲେ ନାହିଁ। ଡିସେମ୍ୱର ୧ରେ ମଣ୍ଡି ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ରାଜ୍ୟରେ କେଉଁଦିନ ମଣ୍ଡି ଖୋଲିଲା ଓ ବନ୍ଦ ହେଲା, ତା’ ସମ୍ପର୍କରେ ଖୋଦ ଚାଷୀ ଜାଣିପାରିଲା ନାହିଁ। ଏପରି ସ୍ଥିତିରେ ଏମାନେ ଆଜି କେନ୍ଦ୍ର ଅବହେଳା କଥା କହୁଛନ୍ତି |