Odia News Portal

କୃଷକଙ୍କ ଲାଗି ଲଢ଼େଇ ଜାରି ରଖିବ ବିଜେଡି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‍ଏଫ୍‍ବିୱାଇ) ଦାବି ସମାଧାନ ନହେବା କାରଣରୁ ଓଡିଶାର ଲକ୍ଷ ଲକ୍ଷ କୃଷକ ଯନ୍ତ୍ରଣା ଭୋଗୁଛନ୍ତି । ପିଏମ୍‍ଏଫ୍‍ବିୱାଇ ଅଧୀନରେ ବୀମା କମ୍ପାନୀଗୁଡିକ ଦ୍ୱାରା ୧୦୦୦ କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ଦାବି ସମାଧାନ ହୋଇନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାର ବରଗଡ, ସମ୍ବଲପୁର, ସୋନପୁର, ଦେବଗଡ, ବଲାଙ୍ଗୀର, ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର ଲକ୍ଷ ଲକ୍ଷ କୃଷକ ପିଏମ୍‍ଏଫବିୱାଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସମଗ୍ର ଭାରତରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଫସଲ ବୀମା ପ୍ରିମିୟମ ବାବଦରେ ୧.୨୬ ଲକ୍ଷ କୋଟି ଟଙ୍କା ଦିଆଯାଇଥିବାବେଳେ କ୍ଷତିପୂରଣ ବାବଦରେ ୮୭,୩୨୦ କୋଟି ଟଙ୍କା ମିଳିଛି । ବୀମା କମ୍ପାନୀଗୁଡିକ ପିଏମ୍‍ଏଫ୍‍ବିୱାଇରେ ୪୦,୦୦୦ କୋଟି ଟଙ୍କା ରୋଜଗାର କରିଥିବାବେଳେ ଚାଷୀଙ୍କ ସ୍ୱାର୍ଥ ପ୍ରଭାବିତ ହୋଇଛି ।

ଓଡିଶାରେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୩୨୫୦.୪୮ କୋଟି ଏବଂ ଓଡିଶାର କୃଷକମାନେ ୧୦୦୯.୪୮ କୋଟି ଟଙ୍କା ବୀମା କମ୍ପାନୀଗୁଡିକୁ ପଇଠ କରିଛନ୍ତି । କେନ୍ଦ୍ରର ଅଂଶ ଯୋଗ କଲେ ୨୦୨୧ ଖରିଫ ପର୍ଯ୍ୟନ୍ତ ମୋଟ ଦେୟ ହେଉଛି ୭୫୧୦.୮ କୋଟି ଟଙ୍କା । ଖରିଫ ୨୦୨୦ ପର୍ଯ୍ୟନ୍ତ, ବୀମା କମ୍ପାନୀମାନଙ୍କୁ ପ୍ରିମିୟମ ବାବଦରେ ମୋଟ୍‍ ୬୧୬୩.୨୮ କୋଟି ଦିଆଯାଇଥିବାବେଳେ କୃଷକଙ୍କ କ୍ଷତିପୂରଣ ଦାବି ମୁତାବକ ବୀମା କମ୍ପାନୀଗୁଡିକ ୫୦୯୮.୬୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହିପରି, ବୀମା କମ୍ପାନୀଗୁଡିକ ୧୦୬୪.୬୪ କୋଟି ଟଙ୍କା ଲାଭ କରିଛନ୍ତି ଯାହା କି ସମୁଦାୟ ପ୍ରିମିୟମ୍ର ୧୭.୨୭% ଅଟେ ।

ଓଡିଶାରେ ୨୦୧୮ ରୁ ୨୦୨୦ ମଧ୍ୟରେ କୃଷକମାନେ ଫସଲ ବୀମା ଦାବି ବାବଦରେ ୨୦୯୦ କୋଟି ଟଙ୍କା ଦାଖଲ କରିଥିବାବେଳେ ବୀମା କମ୍ପାନୀଗୁଡିକ ଦାବିର ମାତ୍ର ୫୦% ଅର୍ଥାତ୍‍ ୧୦୨୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପିଏମ୍‍ଏଫ୍‍ବିୱାଇ ଅଧୀନରେ ଓଡିଶାର କୃଷକମାନେ ସେମାନଙ୍କର ବୀମା ଦାବି ଓ କ୍ଷତିପୂରଣ ପାଇବା ନେଇ ବାରମ୍ବାର ହଇରାଣର ସମ୍ମୁଖୀନ ହେଉଛନ୍ତି ।

ଛଅଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, ଝାଡଖଣ୍ଡ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ପିଏମ୍‍ଏଫ୍‍ବିୱାଇ ଗ୍ରହଣ କରିନାହାନ୍ତି ଏବଂ ବୀମାଭୁକ୍ତ ମୋଟ କ୍ଷେତ୍ର ୭୩ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି (୨୦୧୬-୧୭ ରେ ୫୬୭ ଲକ୍ଷ ହେକ୍ଟରରୁ ୨୦୧୯-୨୦ ରେ ୪୯୫ ଲକ୍ଷ ହେକ୍ଟର) ।

କେନ୍ଦ୍ର ସରକାର ତାଙ୍କ ତ୍ରୁଟି ସୁଧାରିବା ସହିତ ଅସୁବିଧା ସମୟରେ କୃଷକମାନଙ୍କୁ ସାହାଯ୍ୟ କରିବାର ସମୟ ଆସିଛି । ନୂତନ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଯେପରିକି ଡ୍ରୋନ୍ ସହାୟତାରେ ଶୀଘ୍ର ଦାବିଗୁଡିକର ଆକଳନକୁ ନିଶ୍ଚିତ କରିବା ଏବଂ କେବଳ ସରକାରୀ ବୀମା କମ୍ପାନୀଗୁଡିକୁ ପିଏମ୍‍ଏଫ୍‍ବିୱାଇ ରେ ଅନୁମତି ଦେବା ଉଚିତ ଯାହା ଦ୍ୱାରା କୃଷକଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ । ବିଜେଡି ସାଂସଦମାନେ ସଂସଦର ଉଭୟ ସଦନରେ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇଛନ୍ତି । କୃଷକମାନଙ୍କର ଦାବି ସମାଧାନ ନହେବା ପର୍ଯ୍ୟନ୍ତ ବିଜେଡି ତାହାର ସଂଗ୍ରାମ ଜାରି ରଖିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।