Odia News Portal

ପିପିଲି ଉପନିର୍ବାଚନ ପାଇଁ ରାଲି କରିବନି ବିଜେଡି

ଭୁବନେଶ୍ୱର: ରାଜ୍ୟରେ କରୋନାର ସଂକ୍ରମଣ ବଢିବାରେ ଲାଗିଛି। ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ତେବେ ଏହାକୁ ନଜରରେ ରଖି ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି ଓ କ୍ୟାମ୍ପେନ । ଏନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନବୀନ ପଟ୍ଟନାୟକ । ଏହାର ମୁକାବିଲା ପାଇଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲଗାଯାଇଛି।

ଭୋଟ୍ ପାଇଁ ଲୋକଙ୍କ ଜୀବନକୁ ବିପଦରେ ପକାଯିବନି ବୋଲି ଟ୍ଵିଟ୍ କରି ସୂଚନା ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମୁଁ ସର୍ବଦା ଓଡିଶାର ଲୋକଙ୍କୁ ମୋର ପରିବାର ସଦସ୍ୟ ଭାବରେ ବିବେଚନା କରେ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରୁଛି ତେଣୁ ଏଭଳି ଅତ୍ୟନ୍ତ ଗମ୍ଭୀର ପରିସ୍ଥିତିରେ ପିପିଲି ଉପନିର୍ବାଚନ ପାଇଁ କୌଣସି ସାଧାରଣ ସମାବେଶ କିମ୍ବା ରାଲି ସଭା ନକରିବାକୁ ନିଷ୍ପତ୍ତି ନେଇଛି ବିଜେଡି।

ସୂଚନାଯୋଗ୍ୟ, ପିପିଲି ଉପ ନିର୍ବାଚନ ପାଇଁ ମେ ୧୩ରେ ମତଦାନ ହେବାକୁ ଯାଉଛି। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ଆୟୋଗ ସାନି ମତଦାନ ଘୋଷଣା କରିଛନ୍ତି। ପ୍ରଥମେ ଭୋଟ୍ ଗ୍ରହଣ ଏପ୍ରିଲ ୧୭ରେ ହେବାର ଥିଲା। ଏହାର ତିନି ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୪ରେ ଅଜିତ୍‌ ମଙ୍ଗରାଜଙ୍କ କରୋନାରେ ପ୍ରାଣହାନୀ ଘଟିଥିଲା। ଅଜିଙ୍କ ପତ୍ନୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ସହାନୁଭୂତି ଭୋଟ୍ ସାଉଁଟିବା ଉଦ୍ଦେଶ୍ୟରେ କଂଗ୍ରେସ ଅଜିତ୍‌ଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଥିଲେ।